ବାଲୁଗାଁ ରେଞ୍ଜରୁ ଜଣେ ଶିକାରୀ ଗିରଫ, ୨୧ କେଜି ମୃଗ ମାଂସ ଜବତ କରିଛି ବନ ବିଭାଗ

ବାଲୁଗାଁ: ମୃଗକୁ ମାରି ନେଉଥିଲେ ମାଂସ । ହେଲେ ଫେରିବା ବାଟରେ ପଡିଗଲେ ବନ କର୍ମଚାରୀଙ୍କ ହାତରେ । ଯାହାପରେ ଶିକାରୀକୁ ଗିରଫ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବାଣପୁର ଷଣ୍ଢା ଜଙ୍ଗଲରୁ ଜଣେ ଶିକାରୀ ଗିରଫ । ୨୧ କିଲୋ ମୃଗ ମାଂସ ସହ ଚମଡା ଜବତ କରିଛି ବାଲୁଗାଁ ବନ ବିଭାଗ । ଜଣେ ଗିରଫ ହୋଇଥିବା ସମୟରେ ଘଟଣାସ୍ଥଳରୁ ବନ ବିଭାଗ ହାତରୁ ଜଣେ ଶିକାରୀ ଚମ୍ପଟ ।

ସୂଚନା ମୁତାବକ ନାଚୁଣୀ ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳର ଦୁଇ ଜଣ ଶିକାରୀ ବାଣପୁର ପଦ୍ମପୁର ସେକ୍ସନ ଷଣ୍ଢା ଜଙ୍ଗଲରୁ ଶିକାର କରି ଫେରୁଥିବା ସମୟରେ ପାଟ୍ରୋଲିଙ୍ଗ କରୁଥିବା ବନ କର୍ମଚାରୀ ସନ୍ଦେହ କରି ବ୍ୟାଗ ଚେକ କରିଥିଲେ । ପରେ ଦେଖିଲେ ଗୋଟେ ବ୍ୟାଗରେ କିଛି ଜଙ୍ଗଲି ମାଂସ ଥିଲା ଏବଂ ଅନ୍ୟ ଏକ ବ୍ୟାଗରେ ଗୋଟେ ମୁଣ୍ଡ ଥିଲା ।

ସେଥିରୁ ସ୍ପଷ୍ଟ ହେଲା କି ଏକ ମୃଗକୁ ଫାସ ପକେଇ ମାରି ମାଂସ ଆଣୁଥିଲେ । ଏହି ମାମଲାରେ ଜଣକୁ ଗିରଫ କରିବା ସହ ଅନ୍ୟଜଣେ ବନ ବିଭାଗ ହାତରୁ ଜଙ୍ଗଲ ଭିତରକୁ ଚମ୍ପଟ ମାରି ଫେରାର ଅଛି । ଘଟଣାସ୍ଥଳରୁ ୨୧ କିଲୋଗ୍ରାମ ମୃଗ ମାଂସ, ଛାଲ, କଟୁରୀ ଓ ବଟକରା ଜବତ କରିଛି ବାଲୁଗାଁ ବନ ବିଭାଗ ।

ପରେ ଗିରଫ ହୋଇଥିବା ଅଭିଯୁକ୍ତ ଶିକାରୀକୁ କ୍ରାଇମ୍ ସ୍ପଟକୁ ନେଇ ତନାଘନା କରିବାପରେ ସେଠାରୁ ଚମଡା ଜବତ କରି ବାଣପୁର କୋର୍ଟକୁ ଚାଲାଣ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ACF ସୋନାଲି ସିଓ । ତେବେ ବର୍ତ୍ତମାନ ଏନେଇ ତଦନ୍ତ ଚାଲିଛି । ତୁରନ୍ତ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବନ ବିଭାଗ ।

Also read: ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା : ୪ ଶିକାରୀ ଗିରଫ, ୩ ବନ୍ଧୁକ ଓ ଧନୁତୀର ଜବତ