ଭୁବନେଶ୍ୱର : ବିନା ଟିକେଟ୍‌ ଯାତ୍ରୀଙ୍କୁ ଉଚିତ ଶିକ୍ଷା, ଉଦାହରଣ ପାଲଟିଲେ ୫ ଶହ ଜନଜାତି ଯାତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ରେନ୍‌ରେ ଟିକେଟ୍‌ ନକରି ଦୈନିକ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ରେଳବାଇ ପକ୍ଷରୁ ଯେତେବେ କଡ଼ା କଟକଣା ଓ ସେଚତନତା କାର୍ଯ୍ୟକ୍ରମ କରାଗଲେ ମଧ୍ୟ ବିନା ଟିକେଟ୍‌ ଯାତ୍ରୀଙ୍କୁ ରୋକି ହେଉ ନାହିଁ । ଅନେକ ଭଦ୍ରମୁଖା ତଳେ ଏଭଳି ଡବଲ୍ୟୁ.ଟି. ବାଲା ଅଛନ୍ତି । ହେଲେ ଆଜି ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଏଭଳି ବିନା ଟିକେଟ୍‌ଧାରୀଙ୍କ ମୁଣ୍ଡ ଲଜ୍ଜାରେ ନୁଆଁଇ ଦେବ ।

ଘଟଣାଟି ଏହିଭଳି ଥିଲା । ଆଜି ଢେଙ୍କାନାଳ ଜିଲ୍ଲାରୁ ଅନେକ ଆଦିବାସୀ ଭୁବନେଶ୍ୱରକୁ ଏକ ରାଲିରେ ଯୋଗ ଦେବାକୁ ଆସିଥିଲେ । ସେମାନେ ଫେରିଲା ବେଳକୁ ପୁରୀ-ଅନୁଗୁଳ ମେମୁ ଟ୍ରେନ୍‌ରେ ଟିକେଟ୍‌ କାଟିଥିଲେ । ହେଲେ ସେମାନଙ୍କ ସଂଖ୍ୟା ୫୦୦ଥିଲା ଓ ଟ୍ରେନ୍‌ ଛାଡ଼ିବା ସମୟକୁ ସମସ୍ତେ ଷ୍ଟେସନ୍‌ରେ ପହଞ୍ଚି ପାରିନଥିଲେ । ତେଣୁ ସେମାନେ ଷ୍ଟେସନ୍‌ ମାଷ୍ଟରଙ୍କୁ ଅନୁରୋଧ କରିଥିଲେ କିଛି ସମୟ ବିଳମ୍ବରେ ଟ୍ରେନ୍‌ ଛାଡ଼ିବା ପାଇଁ ।

TICKET-2

ତେବେ ଏହି ସରଳ ଆଦିବାସୀଙ୍କ ଅନୁରୋଧ ଏବଂ ସେମାନଙ୍କ ହାବଭାବ ରେଳବାଇ କର୍ତ୍ତୃପକ୍ଷଙ୍କୁ ଭାବବିହ୍ଵଳ କରି ଦେଇଥିଲା । ଅବଶ୍ୟ ସବୁଠୁ ବେଶି ପ୍ରଭାବିତ କରିଥିଲା ସେମାନଙ୍କ ସଚ୍ଚୋଟପଣ । ପ୍ରାୟତଃ ଦେଖାଯାଏ ଯେ ରାଲିରେ ଯୋଗ ଦେବାକୁ ଆସୁଥିବା ଲୋକମାନେ ଯେତିକି ସଂଖ୍ୟାରେ ଆସନ୍ତି ତାଠାରୁ ଖୁବ୍‌ କମ୍‌ ଟିକେଟ୍‌ କରି ଟ୍ରେନ୍‌ରେ ଚଢ଼ନ୍ତି । ହେଲେ ଏହି ଜନଜାତିର ଲୋକମାନେ ସମସ୍ତେ ଟିକେଟ୍‌ କରିଥିଲେ । କେହି ଠକିବାକୁ ଚାହିଁ ନଥିଲେ । ଦ୍ୱିତୀୟ ଶ୍ରେଣୀର ୫୦୦ ଟିକେଟ୍‌ କିଣିଥିଲେ । ଏହି ଘଟଣା ସବୁ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଉଦାହରଣ । ଟିକେଟ୍‌ କରି ଯାଇଥିବା ଏହି ସମସ୍ତ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ ।