ଯାଜପୁର: ବାର୍ଡ ଫ୍ଲୁ ଆତଙ୍କ । ତେବେ ଏନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଏବେ କିଛିଦିନ ଚିକେନ୍ ନଖାଇବା ଭଲ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଭଳି ପରିସ୍ଥିରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ବାର୍ଡଫ୍ଲୁକୁ ନେଇ ଲୋକଙ୍କ ଭିତରେ ଆହୁରୀ ଛନକା ପଶିଯାଇଛି।
ପାଣିରେ ଭାସୁଛି ବସ୍ତା ବସ୍ତା କୁକୁଡ଼ା । ବସ୍ତା ବସ୍ତା ଜୀବନ ନଥିବା କୁକୁଡ଼ା । ଏତେ କୁକୁଡ଼ାକୁ ଦେଖି ଏବେ ଆତଙ୍କିତ ଲୋକେ । ଏସବୁ କୁକୁଡ଼ା କେଉଁଠୁ ଆସିଲା ଏବଂ ଏଠାରେ କିଏ ପକାଇଲା? ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପଡିଛି ଭାଳେଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମା – ରାଧାନଗର ଅଞ୍ଚଳରେ ।
କାଏମା-ରାଧାନଗରକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଯାଇଥିବା ଏକ ନାଳରେ ବସ୍ତା ବସ୍ତା ମଲା କୁକୁଡ଼ା ପଡ଼ିଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏପରିକି ବସ୍ତାରୁ କୁକୁଡ଼ାକୁ ବାହାର କରି କୁକୁର ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ବାର୍ଡଫ୍ଲୁକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ବେଳେ, ଉକ୍ତ ପାଣିରେ ବସ୍ତା ବସ୍ତା କୁକୁଡ଼ା ପଡିବା ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କାହିଁକି ନା ଏହି ପାଣିକୁ ଗୃହପାଳିତ ପଶୁ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି ।
ବ୍ୟାପୁଛି ବାର୍ଡ଼ ଫ୍ଲୁ ଭୟ । କାହିଁକି ନା ବେଳେ ବେଳେ ବାର୍ଡଫ୍ଲୁର ଭୁତାଣୁ ପକ୍ଷୀମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଏଭଳି ସ୍ଥିତିରେ ଏପରି ଏକ ଘଟଣାକୁ ଏବେ ଚର୍ଚ୍ଚା ଜୋର୍ ଧରିଛି । ଘଟଣାକୁ ନେଇ ଏବେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ରହିଥିବାବେଳେ ଏଦିଗରେ ପ୍ରଶାସନ ତୁରନ୍ତ କିଛି ପଦକ୍ଷପ ଗ୍ରହଣ କରିବାକୁ ଦାବି ହୋଇଛି ।