ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୪ ଦିନ ବର୍ଷା ଲାଗି ରହିବ । କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୧୦ ଜିଲ୍ଲା ଓ କାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ରହିବ । ସେପଟେ ୩୧ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇଁ । ବିଶେଷ କରି ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯିବା ସହ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ଲଘୁଚାପ ସହ ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଛି । ଫଳରେ ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୪୩୭.୨ ମିମି ବୃଷ୍ଟିପାତ ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୪୮୯ ମିମି ତୁଳନାରେ ଏହା ୧୧ ପ୍ରତିଶତ କମ । ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ, ୧୪ ଜିଲ୍ଲାରେ ସ୍ବାଭାବିକ ଓ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।