ଅତିରିକ୍ତ ତହସିଲଦାର ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ ପଡିଲା ମହଙ୍ଗା, ସାମ୍ବାଦିକଙ୍କୁ ଖୋଜୁଛି ପୋଲିସ୍‌

ମୋହନା (କେନ୍ୟୁଜ): ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ଟଙ୍କା ଆଦାୟ ଯୋଜନା କରିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ପଡିଛି । ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ । ଅଭିଯୋଗ ପରେ ମୋହନା ପୋଲିସ ଥାନା କେସ ନଂ ୧୪୨/୧୯ ଦଫା ୩୮୪/୫୧୧ ଆଇପିସିରେ ମାମଲା ଦାୟର କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଗତ ଶନିବାର ଦିନ ଦୈନିକ ଖବର କାଗଜରେ କାର୍ଯ୍ୟରତ ଗଜପତି ଜିଲ୍ଲା ମୋହନା ଅଂଚଳର ଜଣେ ଏଜେଣ୍ଟ ତଥା ରିପୋର୍ଟର କର୍ଚ୍ଚବାଡି ବାଲିଘାଟରୁ ବେଆଇନ ବାଲି ଉଠାଣ କରୁଥିବା ଦୁଇଟି ଟ୍ରାକ୍ଟରକୁ ନିଜର କିଛି ସହଯୋଗୀଙ୍କ ସାହାଯ୍ୟରେ ଅଟକାଇ ଥିଲେ । ପରେ ସେ ନିଜକୁ ମୋହନା ଅତିରିକ୍ତ ତହସିଲଦାରଙ୍କ ଭାବେ ପରିଚୟ ଦେଇ ମାମଲା ଦଫାରଫା ପାଇଁ ୧୫ ହଜାର ଟଙ୍କା ଟ୍ରାକ୍ଟର ଚାଳକ ପିତାର ମଲ୍ଲିକ ଓ ଚିଣ୍ଟୁ ଦଳାଇଙ୍କୁ ଜୋର ଜବରଦସ୍ତ ମାଗିଥିଲେ । ସେମାନେ ଟଙ୍କା ନଦେବାରୁ ସାମ୍ବାଦିକ ଜଣକ ତାଙ୍କ ଗାଡ଼ି ଚାବିକୁ ଛଡାଇ ଆଣିଥିଲେ ଏବଂ ଦୁଇଜଣ ଟ୍ରାକ୍ଟର ଚାଳକଙ୍କୁ ମୋହନା ତହସିଲଦାରଙ୍କ ନିକଟରେ ହଜାର ମଧ୍ୟ କରିଥିଲେ । କିନ୍ତୁ ତହସିଲଦାରଙ୍କ ନିକଟରେ ଦୁଇ ଟ୍ରାକ୍ଟର ଚାଳକ ପିତର ଓ ଚିଣ୍ଟୁ, ସଂପୃକ୍ତ ବ୍ୟକ୍ତି ଜଣକ ନିଜକୁ ଅତିରିକ୍ତ ତହସିଲଦାରର ପରିଚୟ ଦେଇ ଟଙ୍କା ମାଗୁଥିଲା ବୋଲି ଅଭିଯୋଗ କରିଥିଲେ । ପରେ ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ମୋହନା ଥାନାରେ ନକଲି ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି ।