ଏଇ ଓଡ଼ିଶାରେ : ୧୭ ବର୍ଷ ଚାକିରିରେ ୧୮୦୦୦ ମୃତଦେହକୁ ପୋଷ୍ଟମର୍ଟମ୍‌ କରିଛନ୍ତି ଏହି ବ୍ୟକ୍ତି, ଯାହାଙ୍କ ବିଷୟରେ ଅନେକଙ୍କୁ ଅଜଣା

ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ୍‌ରେ ଏଭଳି ଜଣେ ଲୋକ ଅଛନ୍ତି, ଯିଏ ନିଶ୍ଚିତ ଭାବେ ଭିନ୍ନ ଏକ ରେକର୍ଡ଼ କରିଥିବେ । ଅବଶ୍ୟ ଏକଥା କେଉଁ ରେକର୍ଡ଼ ବୁକ୍‌ରେ ଲେଖା ହୋଇ ନାହିଁ କିମ୍ବା ତାଙ୍କୁ ତାଙ୍କର ଏହି କାମ ପାଇଁ କେହି ପୁରସ୍କୃତ କି ସମ୍ମାନିତ କରି ନାହିଁ । ତାଙ୍କୁ ଦେଖିବାକୁ ମିଳେ କ୍ୟାପିଟାଲ ହସପିଟାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ । ଯେଉଁଠାକୁ ଦୈନିକ ଦୁର୍ଘଟଣା କିମ୍ବା ଅପମୃତ୍ୟୁ ଜନିତ ମଣିଷମାନଙ୍କ ମୃତଦେହର ଲମ୍ବା ଧାଡି ଲାଗେ। ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ଜାଣିବା ପାଇଁ ଓ ପୋଲିସର ତଦନ୍ତଙ୍କୁ ଟିକେ ସହଜ କରିବା ଲାଗି ମୃତଦେହକୁ ଏଠାକୁ ଅଣାଯାଏ। ହେଲେ ଏହି ବ୍ୟବଚ୍ଛେଦ ଗୃହରେ ମୃତଦେହ ସହିତ ଯେଉଁ ବ୍ୟକ୍ତିଙ୍କ ଜୀବିକା ନିର୍ବାହ ହୁଏ ତାଙ୍କ ବିଷୟରେ ଅନେକ ଲୋକ ଜାଣିନଥିବେ। ମୃତ ବ୍ୟକ୍ତିର ଆତ୍ମୀୟ ସ୍ବଜନ କିମ୍ବା ସହଯୋଗୀ ପୋଷ୍ଟମଟର୍ମ ପରେ ସମସ୍ତେ ଏହି ସ୍ଥାନ ଓ ବ୍ୟବଚ୍ଛେଦ କରୁଥିବା ଲୋକକୁ ମନେ ରଖନ୍ତି ନାହିଁ । ଭୁଲିବା ବି ସ୍ବାଭାବିକ କଥା । କାରଣ ଏହି ସ୍ଥନଟିକୁ ଆସିବା କାହା ଭାଗ୍ୟରେ ନଯୁଟୁ ଏହା ସମସ୍ତେ ମନାସିଥାନ୍ତି। ହେଲେ ଡାକ୍ତର ଓ ପୋଲିସ୍‌ ଖୋଜନ୍ତି ସେଇ ବ୍ୟକ୍ତି ଜଣଙ୍କୁ । ଏଠାରେ ଶବ ବ୍ୟବଚ୍ଛେଦ କରୁଥିବା ବ୍ୟକ୍ତି ଜଣକ ହେଲେ ରାମଚନ୍ଦ୍ର ବାଇଡଙ୍କ ।

RAMACHANDRA-1
ରାମଚନ୍ଦ୍ର ନିଜର ୧୭ ବର୍ଷର ଚାକିରି କାଳ ଭିତରେ ୧୮୦୦୦ରୁ ଊର୍ଦ୍ଧ୍ୱ ପୋଷ୍ଟମଟର୍ମ କରି ସାରିଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଆଜିବି ତାଙ୍କ ହାତ ଥରେ ନାହିଁ ମୃତଦେହକୁ କାଟି ମୃତ୍ୟୁର କାରଣକୁ ଖୋଜି ବାହାର କରିବା ପାଇଁ। କାରଣ ଏହା ତାଙ୍କର ବୃତ୍ତି । ଏହାରି ମାଧ୍ୟମରେ ସେ କୁଟୁମ୍ବ ପୋଷନ୍ତି।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିକିଲୋ ଗ୍ରାମର ରାମଚନ୍ଦ୍ର ବାଇଡଙ୍କ ୨୦୦୨ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ଚାକିରି ପାଇଥିଲେ। ଆଉ ସେବେଠାରୁ ସେ ପ୍ରତିଦିନ କ୍ଷତବିକ୍ଷତ, ଅର୍ଧଦଗ୍ଧ, ପଚି ସଢ଼ି ଯାଇଥିବା ଶବ ସବୁକୁ ବ୍ୟବଚ୍ଛେଦ କରି ଆସୁଛନ୍ତି। ଯେଉଁ ମୃତଦେହଗୁଡିକୁ ସାଧାରଣ ଲୋକ ଆଖିରେ ଦେଖିପାରିବେ ନାହିଁ, ଯାହାକୁ ଦେଖିଲେ ମଣିଷ ଶିହରି ଉଠିବ, ସେଭଳି ଶବ ଗୁଡିକୁ ମଧ୍ୟ ସେ ଖୁବ୍‌ ଯତ୍ନ ସହକାରେ ପୋଷ୍ଟମଟର୍ମ କରି ଆପଣାର ଲୋକଙ୍କୁ ହସ୍ତାନ୍ତର କରନ୍ତି।
ନିଜର ଏହି କାମ ପାଇଁ ସେ କେବେଳ ଅନୁଶୋଚନା କରନ୍ତି ନାହିଁ । କାରଣ ଏହା ତାଙ୍କର ବୃତ୍ତି । ସେଇ ବୃତ୍ତି ଭିତରେ ଭିନ୍ନ ଭିନ୍ନ ମୃତଦେହକୁ ନେଇ ଅନେକ ଘଟଣା ତାଙ୍କୁ ଦେଖିବାକୁ ଓ ଶୁଣିବାକୁ ପଡ଼େ । କିଏ ଦୁର୍ଘଟଣାରେ ମରିଥାଏ ତ ଆଉ କେହି ପରିବାର ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥାଏ । ପୁଣି କିଏ ସାପ କାମୁଡ଼ାରୁ ତ ଆଉ କିଏ ଅସ୍ତ୍ରାଘାତରେ ମୃତ୍ୟୁବରଣ କରିଥାଏ । ପ୍ରତ୍ୟେକ ମୃତଦେହ ପଛରେ ଏକ କାହାଣୀ ଥାଏ । କେବେ ରାମଚନ୍ଦ୍ର ଶୁଣନ୍ତି ତ କେବେ ନଜାଣି ନିଜ କାମ କରିଯାଆନ୍ତି । ଏମିତିକି କେହି ଆପଣାର ଲୋକର ଶବ ବ୍ୟବଚ୍ଛେଦ ବେଳେ ବି ସେ ଭାଙ୍ଗି ପଡ଼ନ୍ତି ନାହିଁ । ଜଣେ ଯନ୍ତ୍ର ମାନବ ଭଳି ତାଙ୍କ ହାତ ଚାଲିଥାଏ ।
ଏମିତି ଦେଖିଲେ ବର୍ଷକୁ ୩୬୫ ଦିନ ତାଙ୍କର ହାତ ଚାଲିଥାଏ ଏଇ କାମରେ । ଅବସର ପରେ ମଧ୍ୟ ଥକି ନାହାନ୍ତି ରାମଚନ୍ଦ୍ର, ଏହି କାମ କରି ଚାଲିଛନ୍ତି ।

ଭୁବନେଶ୍ୱରରୁ ରାଜାଙ୍କ ପରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.