ମହାରାଷ୍ଟ୍ରର ପୁନେ ପରେ ଏବେ କଟକର ସୁନା ମଣିଷଙ୍କ ମୁହଁରେ ସୁନା ମାସ୍କ, ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କଟକ(କେନ୍ୟୁଜ୍): ସୁନା ମଣିଷର ସୁନା ମାସ୍କ । କରୋନାରୁ ସୁରକ୍ଷା ଦେଉଥିବା ମାସ୍କ ଏବେ ଫ୍ୟାସନ୍‌ ପାଲଟି ଯାଇଛି । କଟକର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିଏ ହାତ ତିଆରି ମାସ୍କ ବ୍ୟବହାର କରୁଥିବା ବେଳେ ଆଉ କିଏ ମାର୍କେଟରେ ମିଳୁଥିବା ମାସ୍କ ପିନ୍ଧୁଛନ୍ତି । ଏଥିପାଇଁ ୧୦ ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ହେଲେ କଟକ କେଶରପୁରର ଜଣେ ବ୍ୟକ୍ତି ଗୋଟିଏ ମାସ୍କ ପାଇଁ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆଲୋକ ମହାନ୍ତି । ସେ ପିନ୍ଧିଥିବା ମାସ୍କର ଦାମ ଶୁଣିଲେ ଆପଣମାନେ ଘାବରେଇ ଯିବେ । ମାସ୍କର ଦାମ୍‌ ୩ ଲକ୍ଷ ୫୦ ହଜାର ଟଙ୍କା । ଏହା ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଛି । ଏଥିରେ ଛୋଟ ଛୋଟ କଣା ରହିଛି । ତେଣୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସହାୟକ ହେଉଥିବା ଆଲୋକ କହିଛନ୍ତି ।

କିଛି ଦିନ ତଳେ ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ । ମାସ୍କ ପିଛା ସେ ଖର୍ଚ୍ଚ କରିଥିଲେ ୨ ଲକ୍ଷ ୮୯ ହଜାର ଟଙ୍କା। ଏହି ବ୍ୟକ୍ତିଙ୍କ ନାଁ ହେଲା ଶଙ୍କର କୁରାଡେ। ତାଙ୍କୁ ଟପି ଯାଇଛନ୍ତି କଟକର ଆଲୋକ ମହାନ୍ତି । ଯିଏକି ଜଣେ ଫର୍ଣ୍ଣିଚର ବ୍ୟବସାୟୀ । ଆଲୋକ ପୂର୍ବରୁ ଭାରି ସୁନା ସୌକିନ୍‌ । ତାଙ୍କ ହାତରୁ ଆରମ୍ଭ କରି ବେକ ଯାଏ ସବୁଠାରେ ସୁନା ଛାଇ ଯାଇଛି । ଏମିତିକି ମୁଣ୍ଡର ଟୋପି ମଧ୍ୟ ସୁନାରେ ।
ତେବେ ଏହି ସୁନା ମାସ୍କ କରୋନା ମୁକାବିଲା ଦିଗରେ କେତ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.