ନୟାଗଡ: ଏ ଦୁନିଆରେ ହଜିଗଲାଣି ମାନବିକତା । କିଏ ବା ଏମିତି କରିପାରେ ! କାହାର ବା ହାତ ଯିବ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଏଭଳି ନିର୍ମମ ଭାବେ ହତ୍ୟା କରିବା ପାଇଁ । ଯେଉଁ ମଣିଷ ଠିକ୍ ରେ ମୁଠେ ପେଟକୁ ଖାଦ୍ୟ ଖାଇପାରୁନି ଭଲରେ ମଣିଷଙ୍କୁ ଚିହ୍ନି ପଦେ କଥା ହୋଇପାରୁନି, ପୁଅ ସ୍ତ୍ରୀ ଘରକୁ ଡାକିଲାରୁ ତାଙ୍କ ସହ ଯିବାକୁ ମନା କରିଦେଉଛି । ସେହିଭଳି ମଣିଷ ଉପରେ କିଏ ବା ଅଭିମାନ କରିପାରିବ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏଭଳି ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି ।
ଏହି ଘଟଣା ହେଉଛି ଶରଣକୂଳ ବିରଜାଇ ମନ୍ଦିର ନିକଟରେ । ବିଳମ୍ବିତ ରାତିରେ ବ୍ୟକ୍ତିଙ୍କୁ କେହି ହତ୍ଯା କରିଥିବା ଅନୁମାନ କରାଯାଉଛି । ମୃତକ ହେଲେ ହରିହରପୁର ଗାଁର ରାଜୁ ବରାଡ । ରାଜୁ ପୂର୍ବରୁ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ । ତାଙ୍କର ସ୍ତ୍ରୀ ଏବଂ ପିଲାମାନେ ଗାଁରେ ରହୁଥିବାବେଳେ ସେ ବାହାରେ ଡ୍ରାଇଭର କାମ କରି ପରିବାର ପ୍ରତିପୋଷଣ କରୁଥିଲେ ।
ତେବେ କିଛି ବର୍ଷ ତଳେ ସେ ଦ୍ବିତୀୟ ବିବାହ କରି ଶରଣକୂଳରେ ଘରଭଡ଼ା ନେଇ ରହିଥିଲେ । ଏହାପରେ ରାଜୁ କିଛି କାମ ନକରି ଶରଣକୂଳରେ ରହି ମାଗିଜାଚି ଚଳୁଥିଲେ । କିଛିଦିନ ପରେ ଦ୍ବିତୀୟ ସ୍ତ୍ରୀ ରାଜୁଙ୍କୁ ଛାଡି ଚାଲିଯାଇଥିଲେ । ଏହାପରେ ରାଜୁ ପାଗଳ ପ୍ରାୟ ହୋଇ ବୁଲିବା ସହ ଭିକ୍ଷା କରି ଚଳୁଥିଲେ । ପ୍ରଥମ ସ୍ତ୍ରୀଙ୍କ ପିଲାମାନେ ତାଙ୍କୁ ଘରକୁ ନେବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ । ରାଜୁ ଦିନସାରା ବୁଲିବା ପରେ ସ୍ଥାନୀୟ ଲଡୁବାବାଙ୍କ ମନ୍ଦିର ଏବଂ ବିରଜାଇଙ୍କ ମନ୍ଦିରରେ ରାତିରେ ଶୋଇଥାନ୍ତି । ଆଜି ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜୁଙ୍କ ମୃତଦେହ ବିରଜାଇ ମନ୍ଦିର ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳିଥିଲା ।
ଖବର ପାଇ ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ନେଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ପାଖରେ ଏକ ଇଟା ପଡିଥିବାରୁ ରାଜୁଙ୍କୁ ଇଟାରେ ଛେଚି ହତ୍ଯା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଜଣେ ପାଗଳକୁ କିଏ ଓ କାହିଁକି ହତ୍ଯା କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କର କେହି ଶତୃ ନଥିଲେ ଯିଏ ଏଭଳି କାଣ୍ଡ କରିଛି ତାକୁ ଉଚିତ୍ ଦଣ୍ଡ ମିଳୁ ବୋଲି ଏନେଇ ପରିବାର ଲୋକ ଦାବି କରିଛନ୍ତି ।