କଟକ : ବରୀରେ ଚାଞ୍ଚଲ୍ୟ । ୮ ବର୍ଷ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । ଘଟଣାକୁ ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ରଖାଯାଇଛି ।
ସୂଚନା ଅନୁସାରେ , ଗତ ୨୩ ତାରିଖରେ ଘଟିଥିଲା ଏହି ଘଟଣା । ଅରକ୍ଷିତ ପରିଡା ନାମକ ବ୍ୟକ୍ତି ନାବାଳିକାକୁ ନେଉଳ ଦେଖାଇବାକୁ କହି ଦୁଷ୍କର୍ମ କରିଥିଲା । ଏହା ସହିତ ଘଟଣା ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ । ତେବେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝିଅକୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରି ଦେଇଥିଲା । ଏଠାରେ ତାଙ୍କର ଚିକିତ୍ସା ଚାଲିଛି । ଅଭିଯୁକ୍ତ ଫେରାର ରହିଥିବା ବେଳେ ପୋଲିସ ତାଙ୍କୁ ଖୋଜାଖୋଜି କରୁଛି । ଦୋଷୀକୁ ତୁରନ୍ତ ଗିରଫ କରିବା ସହ ଫାଶୀ ଦଣ୍ଡ ଦାବି କରିଛନ୍ତି ପରିବାର ଲୋକ ।