ଲକ୍ଷ୍ମୀପୁରରେ ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୪ ଅଟକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଥାନାରେ ଏତଲା ପରେ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି କୋରାପୁଟ ଏସପି ।  ଏସପିଙ୍କ ନିର୍ଦ୍ଦେଶରେ ଚାଲିଛି ତଦନ୍ତ ।  ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆପେଣ୍ଠ ପଞ୍ଚାୟତ ଠାରେ ବିରିଗୁଡା ଗ୍ରାମରେ ଶନିବାର ଦିନ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ନାଟ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ବିଳମ୍ବିତ ରାତିରେ ନାଟକ ଚାଲିଥିବା ବେଳେ ଜଣେ ନାବାଳିକା ତାର ସାଙ୍ଗ ସହ ଅଳ୍ପ କିଛି ଦୂରରେ ଯାଇ କଥା ହେଉଥିଲା ।   ଏହି ସମୟରେ ୪ ଜଣ ଯୁବକ ଆଦିବାସୀ ନାବାଳିକାକୁ ପାହାଡ଼ ଉପରକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଛି ।  କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି, ଲକ୍ଷ୍ମୀପୁର ଥାନା ଆଇଆଇସି ଓ କାକିରିଗୁମା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି ।  ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।  ଅଟକ ଚାରିଜଣଙ୍କୁ ତଦନ୍ତ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି ।  ଚାରିଜଣ ହେଲେ କାଶୀପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ନାକୋଟି ଗୁଡା ପଞ୍ଚାୟତର ତୁଳସୀ ଛପର ଗ୍ରାମର ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ହତ୍ୟାକାରୀକୁ ଆଜୀବନ, କୁକୁଡ଼ା ଲଢେଇରୁ ହତ୍ୟା