ପ୍ରେମିକା ସାମ୍ନାରେ ପ୍ରେମିକକୁ ହତ୍ୟା କଲେ ଦୁର୍ବୃତ୍ତ, ଏହା ପଛର କାରଣ ଅସ୍ପଷ୍ଟ

ଅନୁଗୁଳ : ପ୍ରେମିକା ସାମ୍ନାରେ ପ୍ରେମିକକୁ ହତ୍ୟା । ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ଅନୁଗୁଳ କିଶୋରନଗର ବ୍ଲକ ହଣ୍ଡପା ଥାନା ସାନ ଗୋବିନ୍ଦପୁର ଗାଁ ଜଙ୍ଗଲରେ ଘଟିଛି ହତ୍ୟାକାଣ୍ଡ । ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପ୍ରେମିକାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି କାରଣ ଜଣାପଡିନି । ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ମୃତକ ହେଲେ ମାଧପୁର ଗାଁର ରାହୁଲ ସାମଲ।

ସୂଚନା ଅନୁସାରେ ରାହୁଲଙ୍କ ସହ ବଇଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କ ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଳମ୍ବିତ ରାତିରେ ଯୁବତୀ ଜଣକ ରାହୁଲଙ୍କୁ ଦେଖା କରିବାକୁ ଜଙ୍ଗଲକୁ ଡାକିଥିଲେ । ଦୁଇ ଜଣ ଘରକୁ ଫେରୁଥିବାବେଳେ ବାଟରେ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ପରେ ରାହୁଲଙ୍କୁ ଠେଙ୍ଗାରେ ନିର୍ଧୁମ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ । ପରେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରାହୁଲକୁ କାହିଁକି, କିଏ ହତ୍ୟା କଲା ? ଏହା ପଛରେ କାରଣ କ’ଣ? ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ହତ୍ୟା ପଛରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ତାହା ମଧ୍ୟ ଜଣାପଡ଼ି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରାହୁଲଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଛି ।

ଅହୁରି ପଢନ୍ତୁ : ସରସ୍ବତୀ ପୂଜା ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ