ମୋହନା: ମିନିଆହୁରୁ ପାହାଡ଼ରୁ ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
ମୋହନା ଥାନା ଅନ୍ତର୍ଗତ ପିନ୍ଦିକି ପଂଚାୟତର ଲବେରମା ଗାଁ ନିକଟସ୍ଥ ମିଞିଆହୁରି ପାହାଡ଼ରୁ ନର କଙ୍କାଳ ଉଦ୍ଧାର କରିଛି ମୋହନ ପୋଲିସ । ଦୁର୍ଗମ ପାହାଡ଼ ମଧ୍ୟରେ ଥିବା ଗଛ ମୂଳରୁ କଙ୍କାଳଟି ମିଳିଥିବା ବେଳେ ତାହା ପ୍ରାୟ ଏକମାସ ପୂର୍ବେ ମୋହନା ଗ୍ରାମରୁ ନିଖୋଜ ଥିବା ଶ୍ୟାମ ସୁନ୍ଦର ସିଂଙ୍କର ବୋଲି ଜଣାପଡିଛି । ଶ୍ୟାମ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର ପରିଚାଳକ ଭାବେ କାର୍ଯ୍ୟରତ ଥିଲେ । ମୋହନା ପୋଲିସ ଘଟଣା ସ୍ଥଳରେ ପହଂଚି ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ପଠାଇଛି । ତେବେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ଶ୍ୟାମଙ୍କ ପରିବାର ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବବୋଲି ମୋହନ ଥାନା ପକ୍ଷରୁ ସୂଚନା ମିଳିଛି । ତେବେ ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।