ଅସ୍ଥି ବିସର୍ଜନ କରିବାକୁ ଯାଉଥିଲେ ପରିବାର ଲୋକେ, ହଠାତ୍ ଜଳିଗଲା କାର୍

ଜଗତସିଂହପୁର : କେତେବେଳେ କେଉଁଠି କ’ଣ ଘଟିବ ତାହା କାହାକୁ ଜଣା ନଥାଏ । ଆଉ ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ, ଯାହା ବିଷୟରେ କେହି କଳ୍ପନାରେ ସୁଦ୍ଧା ଚିନ୍ତା କରିନଥାନ୍ତି । ଅନେକ ଥର ଏପରି ଭୟଙ୍କର ଘଟଣା ଘଟିଯାଏ ଯେ ସେତେବେଳେ ମଣିଷ କ’ଣ କରିବ ତାହା ଚିନ୍ତା କରିପାରେ ନାହିଁ । ନିଜର ଉପସ୍ଥିତି ବୁଦ୍ଧି ବଳରେ ବେଳେ ବେଳେ ବଡ ବଡ ଦୁର୍ଘଟଣାକୁ ବି ଏଡାଇ ଦିଏ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ମୋବାଇଲ୍ କୁ ମୋବାଇଲ୍ ଘୁରି ବୁଲୁଛି ।
ଏଭଳି ଏକ ଘଟଣା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଏହି ଭୟଙ୍କର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଯାହା ଦେଖିବାକୁ ମିଳିଛି, ବିଚ୍ ରାସ୍ତା ଉପରେ ଏକ କାର୍ ଯାଉଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଉଛି । ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଉଛି କାର୍ ଟି । ଏହି ନିଆଁର ଦାଉ ଦେଖିଲେ ଯେ କେହିବି ଅନୁମାନ କରିପାରୁଥିବ ସେଥିରେ ବସିଥିବା ଯାତ୍ରୀମାନଙ୍କର ଅବସ୍ଥା କ’ଣ ହୋଇଥିବ । ଏଭଳି ଅଘଟଣକୁ ଏଡାଇବା ଭାରି ମୁସ୍କିଲ୍ । ତେବେ ରାସ୍ତାରେ ଯାଉଥିବା ଚଳନ୍ତା କାର୍ ରେ ନିଆଁ ଲାଗିଯିବା ପରେ କ’ଣ ଘଟିଛି ତାହା ଜାଣିବାକୁ ଆପଣ ନିହାତି ତତ୍ପର ହେବେଣି ।
ତେବେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କଟକ ପାରାଦୀପ ରାସ୍ତାର ତାରାପୁର ବାଇପାସ୍ ନିକଟ ରାସ୍ତା ଉପରେ ଘଟିଛି ଏହି ଅଘଟଣ । ଯାହା ସୂଚନା ମିଳିଛି, କାର୍ ରେ ସ୍ଥାନୀୟ ତାରାପୁର ପଞ୍ଚାୟତର ଗୋକୁଲପୁର ର ଏକ ପରିବାର ଅସ୍ଥି ବିସର୍ଜନ କରିବାକୁ ଯାଉଥିଲେ । ଏହି ସମୟରେ ହଠାତ୍ କାର୍ ରେ ନିଆଁ ଲାଗି ଜଲିଗଲା । କାର୍ ର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାର୍ ଟିକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ । ଆଉ ସେଥିରେ ବସିଥିବା ଯାତ୍ରୀମାନେ ତୁରନ୍ତ କାଳ ବିଳମ୍ବ ନକରି ଓହ୍ଳାଇ ପଡ଼ିଥିଲେ ।
ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ କିଛି ସମୟ ପାଇଁ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହା କୁହାଯାଉଛି ଅତ୍ୟଧିକ ଖରା କିମ୍ବା ରାସ୍ତାରେ ମୁଗ ଶୁଖା ଯାଉଥିବାରୁ ମୁଗଗଛ ଲାଗି ଗାଡିଟି ଜଳିଯାଇଥାଇ ପାରେ । ତଥାପି ଜଳିବାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ସବୁଠାରୁ ବଡ କଥା ହେଲା ଏଭଳି ଏକ ବଡ ଅଘଟଣରୁ ଗାଡିରେ ବସିଥିବା ସମସ୍ତ ଯାତ୍ରୀ ଏବଂ ଡ୍ରାଇଭର ଭଗବାନଙ୍କ ଆର୍ଶିବାଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଆହୁରି ପଢନ୍ତୁ: ଆସନ୍ତା ୭ ଦିନ ଭିତରେ ପ୍ରଚଣ୍ଡ ତାତି, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା