ଭଦ୍ରକ: କେତେ କଷ୍ଟ ସହି, ୧୦ମାସ ଗର୍ଭ ଯନ୍ତ୍ରଣାକୁ ଖାତିର୍ ନକରି ଶିଶୁଟିକୁ ଜନ୍ମ ଦେଇଥିଲା ଏଇ ମାଆଟି । ଏବେ କିନ୍ତୁ ତା ଜନ୍ମକଲା ସନ୍ତାନ ତାପାଖରେ ନାହିଁ । କିଏ ଚଞ୍ଚକତା କରି ନେଇଯାଇଛି ତା ଛୁଆକୁ । ଆଉ ଏବେ ମ୍ରିୟମାଣ ହୋଇ କିଛି ଉପାୟ ନପାଇ ଅସହାୟ ଅବସ୍ଥାପରେ ବସିରହିଛି ଏଇ ନିରିହ ମାଆଟି । ସତରେ ଯେମିତି ଏ ସମାଜରୁ ହଜିଗଲାଣି ମଣିଷତ୍ୱ । ମଣିଷ ମଣିଷର ଶତ୍ରୁ ପାଲଟୁଛି । ଯେମିତି ବିଶ୍ୱାସ ନାମକ ଶବ୍ଦ ଏହି ପୃଥିବୀ ପୃଷ୍ଠରୁ କୁଆଡେ ଗାଏବ ହୋଇଗଲାଣି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହର ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରେ ।
ସୂଚନା ମୁତାବକ, ଗତ ୭ ତାରିଖ ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ମହୁଦା ଅଞ୍ଚଳର ମାମୁନି ମୁଣ୍ଡା ନାମକ ଜଣେ ଗର୍ଭବତୀ ମହିଳା ଭଦ୍ରକ ସହରକୁ ଆଧାର ସହିତ ମୋବାଇଲ ଲିଙ୍କ କରିବାକୁ ଆସିଥିଲେ । ତେବେ ତାଙ୍କ ଦେହ ଭଲ ନଲାଗିବାରୁ ସେ ପାଖରେ ଥିବା ଏକ ମନ୍ଦିର ନିକଟରେ ଶୋଇ ପଡ଼ିଥିଲେ । ସେହିଦିନ ରାତି ପ୍ରାୟ ୧୨ଟା ବେଳେ ସେ ହଠାତ ସେଠାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଭୋର ସମୟରେ ଏପରି ଘଟଣା ଦେଖି ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ମହିଳାଙ୍କୁ ଭଦ୍ରକ ମେଡିକାଲକୁ ପଠାଇଥିଲେ ।
ତେବେ ମହିଳାଙ୍କ କହିବା ଅନୁଯାୟୀ, ପରେ ସେଠାରେ ଜଣେ ଅଜଣା ମହିଳା କୁଆଡେ ତାଙ୍କୁ ଓ ତାଙ୍କ ଶିଶୁକୁ କଟକ ନେଇଯିବାକୁ କହି ଡାକି ନେଇଥିଲେ । ଆଉ ଚଞ୍ଚକତା କରି ମହିଳାଙ୍କଠାରୁ ନବଜାତ ଶିଶୁଟିକୁ ଧରି କୁଆଡେ ଚାଲିଗଲେ ଯେ ଆଉ ପତ୍ତା ମିଳୁନି । ତେବେ ଏ ଘଟଣା ପରେ ଜନ୍ମ କଲା ଏଇ ମାଆ ଜଣକ ପୋଷ୍ଟ ଅଫିସ ଛକ ନିକଟରେ ନିଜର ନବଜାତ ଶିଶୁକୁ ନ ପାଇ ମ୍ରିୟମାଣ ହୋଇ ବସିଥିଲେ ।
ଏହି ଖବର ପ୍ରଚାରିତ ହେବା ପରେ ୱାନ ଷ୍ଟପ ସେଣ୍ଟରର କର୍ମଚାରୀ ମାନେ ଆସି ମହିଳା ଜଣଙ୍କୁ ତାଙ୍କ ଅଫିସକୁ ନେଇ ଘଟଣା ସମ୍ପର୍କ ପଚରାଉଚରା କରୁଥିବା ଜଣାଯାଇଛି । ଏପଟେ ଯେଉଁ ମହିଳା ଏସବୁ କାଣ୍ତ ଘଟାଇଛନ୍ତି ସେଇ ମହିଳାଙ୍କ ନାଆ, ଗାଁ, ଠିକଣା କିଛି ବି ଜାଣିନାହାନ୍ତି ଏଇ ମହିଳା ଜଣକ । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ଖୁସିରେ ଲୋକମାନେ ବହୁତ ଉତ୍ସାହିତ ହୋଇ ଯାଆନ୍ତି । ସେହି ସମୟରେ ସେମାନେ କ’ଣ କରିବେ ଜାଣି ପାରି ନ ଥାଆନ୍ତି। ଏହିଭଳି ସାମାନ୍ୟ ଦାୟିତ୍ୱହୀନତାରୁ ଘଟିଯାଏ ବଡ ବଡ ଅଘଟଣ । ଏଭଳି ଏଇ ମାଆ ଜଣକ ବୋଧ ହୁଏ ଶିଶୁଟିଏ ଜନ୍ମଦେବା ପରେ ଏତେ ଖୁସି ହୋଇଯାଇଥିଲେ ଯେ ସହଜରେ ଜଣେ ଅଜଣା ମହିଳାଙ୍କୁ ବିଶ୍ୱାସ କରିବସିଲେ, ଆଉ ଆଜି ସେଇ ବିଶ୍ୱାସ ସେହି ଦାୟିତ୍ୱହୀନତା ତାଙ୍କୁ ମହଙ୍ଗା ପଡିଛି । ତେବେ ତୁରନ୍ତ ଏଇ ମାଆ ପାଖକୁ ତା ଛୁଆଟିକୁ ଫେରାଇ ଆଣିବା ପାଇଁ ପୋଲିସ୍ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ସାଧାରଣ ଜନତା ।