ଭୁବନେଶ୍ବରରେ ରହି ଦୁଇ ବର୍ଷ ହେଲା ବିଜୁଳିରୁ ବଞ୍ଚିତ ଗୋଟିଏ ଦୁଃଖୀ ପରିବାର

ମାଆ, ଆମ ଘରକୁ କେବେ ଲାଇନ୍ ଆସିବ? କଣ ଆମେ ଏମିତି ଅନ୍ଧାରରେ ଥିବା ? ଆମେ ପରା ଭୁବନେଶ୍ବରରେ ଅଛୁ ? ଆମେ ଆଉ କେତେ ଦିନ ଏମିତି ମହମବତୀ ଆଲୁଅରେ ଅନ୍ଧାରରେ ବଞ୍ଚୁଥିବା ? ମହମବତୀ ଆଲୁଅରେ ବହି ଅକ୍ଷର ଦେଖା ଯାଉନି କି ପାଠ ପଢି ହେଉନି l ଆଗକୁ ମୋର ନାଚ ପ୍ରୋଗ୍ରାମ ଅଛି, କେମିତି ପ୍ରାକ୍ଟିସ କରିବି କହିଲୁ ?
ସ୍ୱାଧୀନତାର ୭୭ ବର୍ଷ ପରେ ରାଜଧାନୀ ଭୁବନେଶ୍ୱର ଛାତି ଉପରୁ ଆମେ ସାଉଁଟିଛୁ ଏହି ଦୁଃଖ ଭରା କାହାଣୀ । ଛୁଆଙ୍କ ଏକଥା ଶୁଣି ମାଆର ମୁହଁ ଶୁଖିଯାଏ । ମନର କୋହକୁ ଚାପି ରଖି ହସ ହସ ମୁହଁରେ ଝିଅକୁ କହେ ହଁ’ରେ ମା ସେ ଅଙ୍କଲ ଲାଗିଛନ୍ତି, ସେ ଅମୁକ sir ଦେଖିକି ଯାଇଛନ୍ତି । ଖୁବ ଶୀଘ୍ର ଲାଇନ ଆସିବ, ବ୍ୟସ୍ତ ହୁଅନି l ହେଲେ ମାଆ ସିନା ମନ ବୁଝାଇବାକୁ ଏମିତି କହି ଦିଏ କିନ୍ତୁ ଦିନେ କି ଦୁଇ ଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲାଣି ଏପରିବାର ବିନା ବିଜୁଳିରେ ବଞ୍ଚିଛନ୍ତି l ରାଜଧାନୀର ମୁଣ୍ଡ ଫଟା ଖରାରେ ଏମାନେ ସାହାରା ପାଲଟିଛି ରାସ୍ତାର ଗଛ ମୂଳ l
ମୁଣ୍ଡ ଗୁଞ୍ଜିବାକୁ ଚାରି ହାତର ଘର ଖଣ୍ଡେ ସେ ପୁଣି ରେଲ ଲାଇନ କଡରେ l ଦିନରେ ଟ୍ରେନ ଘଡ ଘଡ ଶବ୍ଦକୁ ରାତିରେ ଲୌହ ଦାନଵର ବିକଟାଳ ସିଟି ଏମାନଙ୍କ ଚିର ସହଚର ପାଲଟିଛି l ରାତିର କିଟିମିଟି ଅନ୍ଧାରକୁ ନିଜର ସାଥୀ କରି ଦିନ ବେଳର ଡହ ଡହ ଖରାରେ କରୁଛନ୍ତି ଜୀବନ ସଂଘର୍ଷ । ପୁଣି ମୂଷଳଧାରାର ବର୍ଷା ଓ କାଳବୈଶାଖୀ ସାଙ୍ଗକୁ ହାଡ଼ ଭଙ୍ଗା ଶୀତର ଯନ୍ତ୍ରଣାକୁ ଆପଣାର କରି ନେଇଛି ଏହି ପରିବାର । …. ତେବେ କାହିଁକି ଏମିତି ହୀନିମାନିଆ ହୋଇ ଏ ପରିବାରଟି କଷ୍ଟରେ ଚଳୁଛି ? ଆସନ୍ତୁ ଜାଣିବା ଏହି ପରିବାର ବିଷୟରେ l ଭୁବନେଶ୍ବରରେ ରେଳ ଧାରଣାକୁ ଲାଗି ରହିଛି ଗୌତମ ବସ୍ତି । ବସ୍ତିର ଶେଷ ମୁଣ୍ଡରେ ଅନ୍ୟ ଘର ସହିତ ରହିଛି ପାଞ୍ଚ ଛଅ ହାତ ଓସାରର ଭଙ୍ଗା ଅଜବେଷ୍ଟସ ଘରଟିଏ l
ତାରି ଭିତରେ ରହନ୍ତି ଲକ୍ଷ୍ମୀ ପ୍ରିୟା ପାତ୍ର । ସ୍ୱାମୀ ଗଣେଶ ପାତ୍ର ଓ ଗୋଟିଏ ଝିଅ ସହ ୩ ପୁଅ l ଝିଅଟି ନା ପାୟଲ । ସେ ଜଣେ ଭଲ ନୃତ୍ୟ ଶିଳ୍ପୀ ମଧ୍ୟ l କିନ୍ତୁ ତାର କଳା ପ୍ରତିଭା ଆଜି ଅନ୍ଧାରରେ କଇଁ କଇଁ କାନ୍ଦୁଛି l ଲକ୍ଷ୍ମୀ ପ୍ରିୟା ପର ଘରେ ବାସନ ମାଜିଲେ ପରିବାର ଚଳେ l ସ୍ୱମୀ କୋଉଠି କାହାର ମୂଲ ଲାଗିଲେ ଘରକୁ ଦୁଇ ପଇସା ଆସେ । ସେଇଥିରୁ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବାହାରେ l ସବୁବେଳେ ଖାଇବାକୁ ଦୁଇ ବେଳା ମିଳିବ ବୋଲି କିଛଇ ମାନେ ନାହିଁ । ନହେଲେ ଖାଲି ପେଟରେ ଶୋଇ ଯାଏ ପୂରା ପରିବାର । …ଏହି ଟ୍ରେନ ଲାଇନ କଡରେ ଛୋଟ ଘର ଖଣ୍ଡକରେ ଭଡାକୁ ରହୁଥିଲେ l ପାଞ୍ଚ ବର୍ଷ ତଳେ ଟ୍ରେନ୍ ଆରପାରିକୁ ନେଇଯାଇଥିଲା ବଡ଼ ପୁଅକୁ l ସେହି ଦିନ ଠାରୁ ଲକ୍ଷ୍ମୀପ୍ରିୟା ଆଉ ଗଣେଶ ଭାଙ୍ଗି ପଡ଼ିଥିଲେ l ଖଣ୍ଡେ ଘର କରି ମୁଣ୍ଡ ଲୁଚେଇବାକୁ ଚେଷ୍ଟା କରିଛନ୍ତି । ହେଲେ ଦୁଇ ବର୍ଷ ବିତି ଗଲାଣି ଘରକୁ ବିଜୁଳି ଆସିପାରୁନି କି ପାଣି ମଧ୍ୟ ପାଇ ପାରୁନି ଏପରିବାର l
ଲକ୍ଷ୍ମୀ ପ୍ରିୟା କହିବା ଅନୁସାରେ, ଦୁଇ ବର୍ଷ ତଳେ ଇଲେକଟ୍ରି ବିଭାଗ ଅଧିକାରୀଙ୍କୁ ଭେଟି ୧୫ ହଜାର ଟଙ୍କା ଦେଇଥିଲେ । ଘରକୁ ଲାଇନ ମଧ୍ୟ ଟାଣା ଯାଇଥିଲା l ଦୁଇ ମାସ ଲାଇନ ଦେଲା ପରେ ପୁଣି କାଟି ଦେଲେ ବିଦ୍ୟୁତ ବିଭାଗ ଅଧିକାରୀମାନେ l ତାପରେ ବିଭିନ୍ନ ବାବୁମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ଶେଷରେ ହତାଶ ହୋଇ ଅନ୍ଧାରରେ ବଞ୍ଚିବାକୁ ସ୍ଥିର କଲେ ଲକ୍ଷ୍ମୀ ପ୍ରିୟ । ଏବେ ତାଙ୍କ ନିକଟକୁ ବିଭାଗରୁ ଖବର ଆସିଛି ୨୪ହଜାର ଟଙ୍କା ଡିପୋଜିଟ କରିବାକୁ । ଏ ନେଇ ଜାଣିବା ପରେ ଆମେ ପହଞ୍ଚିଥିଲୁ ସେହି ବିଭାଗୀୟ ଅଧିକାରୀଙ୍କ ପାଖରେ । ବାବୁ ପ୍ରଥମେ ଆମ ବୁମ ଆଡେଇ ଦେଲେ । ଟିକିଏ ଆମେ ଅଡ଼ି ବସି ପଚାରିବାରୁ ଯାହା କହିଲେ ଆପଣ ଶୁଣି ନିଅନ୍ତୁ ।
Also Read:କଞ୍ଚା ଚିକେନ ନେଇଗଲା ୨ ବର୍ଷ ଝିଅର ଜୀବନ, ଜାଣନ୍ତୁ କଣ ରହିଥିଲା କାରଣ