ଗର୍ଭବତୀ ଛେଳି ପେଟରୁ ଦୁଇଟି ମଲା ଛୁଆ ସାଙ୍ଗେ ବାହାରିଲା ୫ କେଜି ପଲିଥିନ, ଡାକ୍ତର କଲେ ବିରଳ ଅସ୍ତ୍ରୋପଚାର

ଭଦ୍ରକ(କେନ୍ୟୁଜ୍): ଗୋଟିଏ ଛେଳି ପେଟରୁ ବାହାରିଲା ୫ କେଜି ଓଜନର ପଲିଥିନ। ଅପରେସନ ପରେ ଛେଳି ପେଟରୁ ବାହାରିଲା ଏହି ପଲିଥିନ। ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳୀ ପଞ୍ଚାୟତ ଶାନ୍ତିନଗରରେ। ଏଠାରେ ଲିପୁ ଗୋଟ ଫାର୍ମରେ ତିହିଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ନିରାକାର ଜେନା ଓ ଅବସର ପ୍ରାପ୍ତ ଭିଏସଏଏସ ବିଦ୍ୟାଧର ରାଉତଙ୍କ ଦ୍ଵାରା ଗୋଟିଏ ଛେଳିର ଏକା ସାଙ୍ଗରେ ଦୁଇଟି ଅସ୍ତ୍ରୋପଚାର ସଫଳତାର ସହ ହୋଇ ପାରିଛି।
ପ୍ରକାଶ ଥାଉକି ଗତ ଦୁଇ ଦିନ ହେବ ଉକ୍ତ ଫାର୍ମର ଏକ ଛେଳି ପ୍ରସବ ଜନିତ କଷ୍ଟ ପାଉଥିଲା। ନର୍ମାଲ ଡେଲିଭାରି ହୋଇ ନ ପାରିବାରୁ
ଅସ୍ତ୍ରୋପ୍ରଚାର କରି ଛୁଆ ଜନ୍ମ କରିବା ସମୟରେ ଉକ୍ତ ଛେଳିଟିର ପେଟରେ କିଛି ଜିନିଷ ଅଟକି ଥିବାର ଡାକ୍ତର ଜାଣିବାକୁ ପାଇଲେ। ଫଳରେ ଡ଼ା ଜେନା ଏହାକୁ ରୁମିନୋଟୋମି କରି ୫ କିଲୋରୁ ଅଧିକ ପୋଲିଥିନ ଉକ୍ତ ଛେଳିର ପେଟରୁ ବାହାର କଲେ। ତାପରେ ସିଜେରିଆନ କରି ଉକ୍ତ ଛେଳିର ପେଟରୁ ଦୁଇଟି ମଲା ଛୁଆ ବାହାର କରିଥିଲେ। ଅପରେସନ ପରେ ମା ଛେଳିଟି ସୁସ୍ଥ ଥିବାର ସୂଚନା ମିଳିଛି। ଏପରି ଏକା ସାଙ୍ଗରେ ଦୁଇଟି ଅପରେସନ ବହୁତ୍ କଷ୍ଟ ଏବଂ ବିରଳ। ଏଭଳି କାମ ପାଇଁ ଡ଼ା ଜେନାଙ୍କୁ ଉକ୍ତ ଅଞ୍ଚଳର ଚାଷୀ, ବୁଦ୍ଧିଜୀବି ମାନେ ବହୁତ୍ ପ୍ରଶଂସା କରିଛନ୍ତି। ଡ଼ା ନିରାକାର ଜେନା ନିରୀହ ପଶୁମାନଙ୍କ ସୁରକ୍ଷା ନିମନ୍ତେ ପଲିଥିନ୍ ବ୍ୟାନ କଟକଣାକୁ କଡାକଡି ଭାବରେ ମାନିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।