କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ, ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ

କେନ୍ଦୁଝର : କେନ୍ଦୁଝରରେ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ।  କେନ୍ଦୁଝରର ବୀରପୁତ୍ର ବିପ୍ଳବୀ ଧରଣୀଧର ନାଏକ ଙ୍କ ଜନ୍ମମାଟି କୁସୁମିତା ଠାରେ ୧୬୧ ତମ ରାଜ୍ୟ ସ୍ତରୀୟ ଜୟନ୍ତି ସମାରୋହ ଆୟୋଜିତ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ ।  ଧରଣୀଧରଙ୍କ ଜନ୍ମମାଟି କୁସୁମିତାର ସାମଗ୍ରିକ ବିକାଶ ଓ ଏହାକୁ ଏକ ଐତିହ୍ୟ ଗ୍ରାମ ରୂପେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିପ୍ଳବୀଙ୍କ ଗାଁରେ ଏକ ପାର୍କ, ଖେଳପଡିଆ, ଧରଣୀଧରଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ସଂଗ୍ରହାଳୟ, ଲାଇବ୍ରେରୀ ସ୍ଥାପନ ସହ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।  ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ୧୧ ଶହ ୫୫ କୋଟି ଟଙ୍କାର ୩୪୦ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋହନ ମାଝୀ ।  ଜିଲ୍ଲାରେ ଏକ ଲକ୍ଷ ୨୯ ହଜାର ୮ ଶହ କୋଟି ଟଙ୍କା ବ୍ୟୟରେ ୩୦ଟି ଶିଳ୍ପ ପ୍ରକଳ୍ପ ହେବ ।  ଏହାଦ୍ବାରା ୩୦ ରୁ ୩୫ ହଜାର ପିଲାଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ସମୁଦାୟ ୩୨ ହଜାର ନୂଆ ପଦ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଡ଼ିଥିବା ପଦ, ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟ ପୁଲିସ କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ ।  ଏହାଦ୍ୱାରା ପୁଲିସର ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

କେନ୍ଦୁଝରରେ ଖୁବ୍‌ଶୀଘ୍ର ଜେଏସ୍‌ଡବ୍ଲ୍ୟୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି ।  ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ।  ଏଥିସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।  ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା କେନ୍ଦୁଝର ଜିଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ ।

Also read: ଓଡ଼ିଶାରେ ହେବ ମକଡ୍ରିଲ୍, ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବା ସୂଚନା