ବରଯାତ୍ରୀ ପ୍ରସେସନରେ ଝିଅମାନେ ନାଚିଲେନି ବୋଲି ସୃଷ୍ଟି ହେଲା ତୁମୁଳ କାଣ୍ଡ

ବରଯାତ୍ରୀ ପ୍ରସେସନରେ ନାଚିବାକୁ ନେଇ ତୁମୁଳ କାଣ୍ଡ । ଝଗଡ଼ା ହେବା ସହ ଥାନାରେ ପହଞ୍ଚିଥିଲା କଥା । ଯୁବକମାନଙ୍କର ସର୍ତ୍ତ କେବଳ ଗୋଟାଏ… ଆମ ସହ ନାଚିବାକୁ କାହିଁକି ଆସିଲେନି ମହିଳା କି ଯୁବତୀ ମାନେ । ତାଙ୍କୁ ଆମେ ଛାଡ଼ିବୁନୁ । ବାସ୍ ଏତିକି କଥାରେ ଏତେ ସବୁ କାଣ୍ଡ ଘଟିଯାଇଛି ।

ବାହାଘରରେ କନ୍ୟାଘରକୁ ଯାଉଥିଲେ ବର ଘର ସମ୍ପର୍କୀୟ । କିନ୍ତୁ ପ୍ରସେସନରେ ନାଚିବା ହେଲା ହାଇଡ୍ରାମା । ବରଯାତ୍ରୀ ପ୍ରସେସନରେ ମହିଳାମାନେ ଯୁବକଙ୍କ ସହିତ ମିଶି ନାଚିବାକୁ ମନା କରିବାରୁ ଯୁବକ ମାନଙ୍କ ଉନ୍ମତ୍ତକାଣ୍ଡ । କନ୍ୟା ଘରୁ ଫେରିବା ବାଟରେ ଗାଡି ଅଟକାଇ କଲେ ସଙ୍ଘ ବଦ୍ଧ ଭାବେ କଲେ ଆକ୍ରମଣ । କେବଳ ସେତିକି ନୁହେଁ ଖରାପ ବ୍ୟବହାର ଦେଖାଇବା ସହ ସେମାନଙ୍କ ସୁନା ଚେନକୁ ମଧ୍ୟ ଟାଣି ନେଇ ଫେରାର ହୋଇ ଯାଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଡଗରପଡା ଅଞ୍ଚଳରେ ।

ଏହି ଗାଁର କେତେକ ମହିଳା ତାଙ୍କ ସମ୍ପର୍କୀୟଙ୍କ ବାହାଘର ପାଇଁ ପିରିପୁର ଯାଇଥିଲେ । ସେଠାରୁ ସେମାନେ ବରଯାତ୍ରୀ ହୋଇ ଧାମନଗର ଥାନା ସୋଧ ଗାଁକୁ ଯାଇଥିଲେ । ତେବେ ଗତକାଲି ରାତିରେ ବର ପ୍ରସେସନରେ ଯାଉଥିଲା ବେଳେ ପ୍ରସେସନରେ ସାମିଲ ଥିବା ଡଗରପଡା ଅଂଚଳର କେତେକ ଯୁବକ ସେଠାରେ ଉପସ୍ଥିତ ଥିବା ମହିଳା ଓ ଯୁବତୀ ମାନଙ୍କୁ ସେମାନଙ୍କ ସହିତ ନାଚିବା ପାଇଁ ଡାକିଥିଲେ । ତେବେ ମହିଳା ମାନଙ୍କୁ ନାଚିବା ପାଇଁ ତାଙ୍କ ସମ୍ପର୍କୀୟ ମାନେ ମନା କଲେ । ତେଣୁ ଏଥିରେ ରାଗିଯାଇ ଯୁବକ ମାନେ ବରଯାତ୍ରୀ ପ୍ରସେସନରୁ ପଳାଇ ଆସି ତାଙ୍କ ଗାଁ ପାଖ ରାସ୍ତାରେ ବାଉଁଶ ବାନ୍ଧି ଜଗି ରହିଥିଲେ । ଭୋର ସମୟରେ ସେହି ମହିଳା ମାନେ ନିଜ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ବେଳେ ସେମାନଙ୍କ ଗାଡିକୁ ଅଟକାଇ ଗାଡ଼ିରେ ଥିବା ପୁରୁଷ ଓ ମହିଳା ମାନଙ୍କୁ ଆକ୍ରମଣ ସହିତ ଖରାପ ବ୍ୟବହାର କରି ସେମାନଙ୍କ ସୁନା ହାରକୁ ଛିଣ୍ଡାଇ ନେଇଥିଲେ ।

ଏନେଇ ଖବର ପାଇ ପୋଲିସ ସେଠାରେ ପହଞ୍ଚିଲା ବେଳକୁ ସେହି ଯୁବକ ମାନେ ଫେରାର ହୋଇ ଯାଇଥିଲେ । ପରେ ଆକ୍ରମଣର ଶିକାର ମହିଳା ମାନେ ଭଣ୍ଡାରିପୋଖରୀ ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read:ସଙ୍କଟାପନ୍ନ ବିଦ୍ୟୁତ ତାର ତଳେ ଗାଁର ଛଅ ପରିବାର, କେତେବେଳେ ଅଘଟଣ ଘଟିବ କହିହେବନି