ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର, କେଉଁ କେଉଁ ପୀଠକୁ ଯୋଡିବ ଜାଣନ୍ତୁ

ବ୍ରହ୍ମପୁର: ଓଡ଼ିଶାରେ ହେବ ଶକ୍ତି କରିଡ଼ର ଯାହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ । ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅପରାହ୍ନ ୧୧ଟା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ । ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନେ ସ୍ବାଗତ କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘ରାଜ୍ୟରେ ଗତ କିଛି ମାସ ଧରି ଏକ ଶକ୍ତି କରିଡ଼ର କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ସରକାରଙ୍କ ଏହି ଶକ୍ତି କରିଡର ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ପୀଠ ସହିତ ମା’ ବିରଜାଙ୍କ ପୀଠ, ମା’ ମଙ୍ଗଳା,ମା’ ଭଗବତୀ, ମା’ ଉଗ୍ରତାରା, ମା’ ନାରାୟଣୀ, ମା’ ତାରାତାରିଣୀ, ମା’ କାଳିଜାଇ, ମା’ ଭୈରବୀଙ୍କ ମନ୍ଦିରକୁ ଯୋଡି ଏକ ଶକ୍ତି କରିଡର କରାଯିବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ମା’ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହିତ ମା’ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଅର୍ଥର ବ୍ୟବସ୍ଥା ହୋଇଥିବା ବେଳେ ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପର୍ଯ୍ୟଟନ ବିଭାଗ ଗଞ୍ଜାମ ଜିଲ୍ଲାକୁ ପ୍ରଦାନ କରାଯାଇଛି ।’

କେଉଁ କେଉଁ ପୀଠକୁ ଯୋଡିବ ଶକ୍ତି କରିଡର ?

ମା’ ତାରାତାରିଣୀ ପୀଠ
ମା’ ବିରଜାଙ୍କ ପୀଠ
ମା’ ମଙ୍ଗଳା
ମା’ ଭଗବତୀ
ମା’ ଉଗ୍ରତାରା
ମା’ ନାରାୟଣୀ
ମା’ ତାରାତାରିଣୀ
ମା’ କାଳିଜାଇ
ମା’ ଭୈରବୀଙ୍କ ମନ୍ଦିର

ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ । ପର୍ଯ୍ୟଟକ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରରେ ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ ।

ସେପଟେ ଏହାକୁ ନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଯୋଜନାରେ ଓଡିଶାର ସମସ୍ତ ଶକ୍ତିପୀଠ ମାନଙ୍କୁ ଶକ୍ତି କରିଡର ନାମରେ ଯୋଡିବା କାର୍ଯ୍ୟ କରାଯିବ । ଦେଶର ଉତ୍ତରପ୍ରଦେଶରେ ମହାଦେବଙ୍କ ଯେପରି କରିଡର କରିବାର ଯୋଜନାକୁ ଯେପରି ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଛନ୍ତି ସେଭଳି ଓଡିଶାରେ ସମସ୍ତ ଶକ୍ତିପୀଠର ସଂଯୋଗୀକରଣ କରି ଯେଉଁମାନେ ବାହାରୁ ଆସିବେ ମୁଖ୍ୟତଃ ଶକ୍ତି ଆରାଧକ ମାନଙ୍କୁ ଯେପରି ଅନ୍ତତଃ ସୁଯୋଗ ମିଳିବ ଓଡିଶାର ସମସ୍ତ ପବିତ୍ର ଓ ପ୍ରସିଦ୍ଧ ଶକ୍ତିପୀଠକୁ ଦର୍ଶନ କରିବାକୁ । ଯେଉଁଥିପାଇଁ ପର୍ଯ୍ୟଟନ ବିଭାଗ ସଂପୂର୍ଣ୍ଣ ଭାବରେ ଯୋଜନା ଆରମ୍ଭ କରିଥିବା ବେଳେ ପୂର୍ତ୍ତ ବିଭାଗ ସେହି ଯୋଜନା ମୁତାବକ ହେରିଟେଜ୍ ଡେଭଲମେଣ୍ଟ ବ୍ୟବସ୍ଥା ଅନୁଯାୟୀ ଏହି ପୀଠ ଗୁଡିକର ସଂପୂର୍ଣ୍ଣ ଉନ୍ନତିକରଣ କାର୍ଯ୍ୟ କରାଯିବ ।’

ହେଲିକପ୍ଟର ଯୋଗେ ହେବ ସଂଯୋଗୀକରଣ:

ଓଡ଼ିଶାର ସମସ୍ତ ଶକ୍ତି ପୀଠକୁ ନେଇ ଶକ୍ତି କରିଡ଼ର ଘୋଷଣା ହେବା ପରେ ଏହାରି ମଧ୍ୟରେ ଯେପରି ସିଧାସଳଖ ସଂଯୋଗୀକରଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏପରିକି ଆବଶ୍ୟକ ପଡିଲେ ଆଗାମୀ ଦିନରେ ହେଲିକପ୍ଟର ଯୋଗେ ଏହାକୁ ନେଇ ଯୋଗାଯୋଗ କ୍ଷେତ୍ରରେ ସଂଯୋଗୀକରଣ ଭଳି କାର୍ଯ୍ୟକୁ ଆଖି ଆଗରେ ରଖି ଏକ ବିସ୍ତୁତ ଯୋଜନା କରାଯାଉଥିବା କହିଛନ୍ତି ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସେପଟେ ଆସନ୍ତା ଦୁଇ ବର୍ଷ ମଧ୍ୟ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଏନେଇ ବିଭାଗ ଗୁଡିକୁ ରୂପରେଖ ପ୍ରସ୍ତୁତ କରି ତାହାର କାର୍ଯ୍ୟ ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

 

ଆହୁରି ପଢ଼ନ୍ତୁ : ମା ତାରିଣୀଙ୍କୁ ୫୦ଲକ୍ଷ ଟଙ୍କାର ସୁନା ମୁକୁଟ ଅର୍ପଣ କଲେ ଭକ୍ତ, ପୂର୍ବରୁ ରଖିଥିଲେ ମାନସିକ