ହଷ୍ଟେଲରେ ରହୁଥିବା ଷଷ୍ଠ ଶ୍ରେଣୀର ଛାତ୍ରକୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯାତନା, ଥାନାରେ ଲିଖିତ ଅଭିଯୋଗ

ମୟୂରଭଞ୍ଜ : ବ୍ଲେଡରେ ହାତ କାଟି କ୍ଷତ ସ୍ଥାନରେ ମାରିଲେ ଲୁଣ। ବନ୍ଦ କଠୋରୀରେ ଦେଲେ ନିର୍ଯାତନା । ମୟୂରଭଞ୍ଜ ଜିଲ୍ଳା ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସ୍କୁଲ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ଦେଇଛନ୍ତି ଏଭଳି ନିର୍ଯାତନା । ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବାବେଳେ ଏହି ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ ।

ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ହୋଇ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ । ହାତକୁ ବ୍ଲେଡରେ କାଟି ଦେଇଥିଲେ। କେବଳ ସେତିକି ନୁହେଁ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ । କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି  ।  ମାଡ଼ମାରିଥିବା ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇଛି ପୋଲିସ  ।