ପୁଣି ଚର୍ଚ୍ଚାରେ କଟକ ପୁଅ ଶୁଭ୍ରଜିତ୍: ଏମସିଲ ଅଠାରେ ତିଆରି କରିଛନ୍ତି ସବୁଠୁ କୁନି ମା ସରସ୍ଵତୀଙ୍କ ଚିତ୍ର

କଟକ(କେନ୍ୟୁଜ): କଟକ ପୁଅ ଯୁବଚିତ୍ର ଶିଳ୍ପୀ ଶୁଭ୍ରଜିତ ପଣ୍ଡାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା।  ଏମସିଲ ଅଠାରେ କୁନି ସରସ୍ବତୀଙ୍କ ମୂର୍ତି ତିଆରି ଏବେ ସମସ୍ତଙ୍କ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବିଭିନ୍ନ ଅଦରକାରୀ ବସ୍ତୁକୁ ଜୀବନ୍ତ ରୂପ ଦେଇ ସମସ୍ତଙ୍କ ମନକୁ ମୋହୁଛନ୍ତି ଶୁଭ୍ରଜିତ।

କଟକ କହ୍ନେଇପୁରର ଶରତ ଚନ୍ଦ୍ର ପଣ୍ଡା ଓ ଇତିଶ୍ରୀ ପଣ୍ଡାଙ୍କ ଏକମାତ୍ର ପୁଅ ହେଉଛନ୍ତି ଶୁଭ୍ରଜିତ ପଣ୍ଡା। କିଛି ଦିନ ତଳେ ୨.୫ ସେଣ୍ଟି ମିଟର ଲମ୍ବା ଓ ୧.୪ ସେଣ୍ଟି ମିଟର ଚଉଡା ଅତି କୁନି କଉଡ଼ି ରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର କରି ଇଣ୍ଟରନେସନାଲ ବୁକ ଅଫ ରେକଡ଼ସ ରେ ସ୍ଥାନ ପାଇଛନ୍ତି ଶୁଭ୍ରଜିତ। ଏବେ ଏମସିଲ ଅଠାରେ ୩ ସେଣ୍ଟି ମିଟର ଲମ୍ବା ୨ସେଣ୍ଟି ମିଟର ଚଉଡାର ମା ସରସ୍ଵତୀଙ୍କ ଚିତ୍ର କରିଛନ୍ତି। ଶୁଭ୍ରଜିତ କହିଛନ୍ତି ସେକରିଥିବା ମା ସରସ୍ଵତୀଙ୍କ ଆର୍ଟ ସବୁଠାରୁ ଛୋଟ। ଏହା ସହ ୪ସେଣ୍ଟି ମିଟର ଲମ୍ବ ଓ ୧ସେଣ୍ଟି ମିଟର ଚଉଡାର ହକି ୱାର୍ଲଡ଼ କପ ତିଆରି କରିଛନ୍ତି।

ଯାହାକୁ ଦେଖି ସେ ପଢ଼ୁଥିବା କଲେଜରେ ସମସ୍ତେ ଚକିତ ହେବା ସହ ଆର୍ଟ ଟିକୁ କଲେଜରେ ହିଁ ରଖିଦେଇଥିଲେ। ତାଙ୍କର ଏଭଳି ଚିତ୍ରକଳା ଦେଖି ସମସ୍ତେ ଖୁସି ହେବା ସହ ତାଙ୍କୁ ଉତ୍ସାହିତ କରିଥାନ୍ତି। ଶୁଭ୍ରଜିତଙ୍କର ଆର୍ଟ ପ୍ରତି ପିଲାବେଳୁ ଦୁର୍ବଳତା ରହିଛି। ସେ କାଜୁରେ ଜଗନ୍ନାଥ, ବିନ୍ସ ମଞ୍ଜିରେ ତିନି ଠାକୁର ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା , ଧନିଆ ମଞ୍ଜିରେ ଜଗନ୍ନାଥ , ମୁଗ ଡାଲିରେ ଜଗନ୍ନାଥ , ଏମିତିକି ନିଜ ଜେଜେ ମା ଙ୍କ ଚଷମାରେ ପ୍ରଭୁ ଜଗନ୍ନାଥ ଙ୍କ ଆର୍ଟ କରିଛନ୍ତି। ଯାହା ସବୁ ନିଜ ଘରର ସୌନ୍ଦର୍ଯ୍ୟ ବଢ଼ାଉଛି ।ଆଗକୁ ମା ସରସ୍ଵତୀଙ୍କ ପୂଜା ରହିଛି ସେଥି ଲାଗି ନିଜ ପାଇଁ ଏକ ସାର୍ଟ ରେ ନିଜ କଳା କୁ ପ୍ରଦର୍ଶିତ କରି ଏକ ଆର୍ଟ କରିଛନ୍ତି ଯେଉଁ ସାର୍ଟକୁ ସରସ୍ବତୀ ପୂଜା ଦିନ ପିନ୍ଧିବେ ଶୁଭ୍ରଜିତ।

ପାଠ ପଢା ସହ ଚିତ୍ରକଳା ପ୍ରତି ତାଙ୍କର ବହୁତ ଆଗ୍ରହ। ତାଙ୍କ ମା ଯେତେବେଳେ ମାଣ ବସାରେ ଲକ୍ଷ୍ମୀଙ୍କର ପାଦ , ଝୋଟି ଆଦି କରନ୍ତି, ଶୁଭ୍ରଜିତ ତାଙ୍କ ସହିତ ମିଶି ଚିତ୍ର ଆଙ୍କିଥାନ୍ତି। ତାଙ୍କର ଏଭଳି ଆଗ୍ରହ ଦେଖି ଚିତ୍ରକଳାରେ ଆବଶ୍ୟକ କରୁଥିବା ସାମଗ୍ରୀ ତାଙ୍କୁ ଯୋଗାଇ ଦିଆଯାଥାଏ ବୋଲି ଶୁଭ୍ରଜିତଙ୍କ ବାପା ମା କହିଛନ୍ତି  । ଚିତ୍ରକଳାରେ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ଶୁଭ୍ରଜିତ। ତେବେ ଘରକୁ ଆସୁଥିବା ଅତିଥିମାନେ ତାଙ୍କ ଆର୍ଟ ଦେଖି ଭାରି ଖୁସି ହୋଇଥାନ୍ତି। ସବୁବେଳେ କିଛି ନିଆରା ଆର୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି ଶୁଭ୍ରଜିତ। ଆଗାମୀ ଦିନରେ ବହୁ ନୂଆ ନୂଆ ରକମର ଆର୍ଟ କରିବା ସହ କଟକ ତଥା ରାଜ୍ୟର ନାଁକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିବା ଲକ୍ଷ୍ୟ ରଖିଛନ୍ତି ଶୁଭ୍ରଜିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.