ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ NITରୁ ଅଣାଯାଇଛି ଏକ ସ୍ୱତନ୍ତ୍ର ରୋବଟ, ରିଲ୍ସ କରିବା ସମୟରେ ଘଟିଥିଲା ଅଘଟଣ

ଗଭୀର ପାଣିରେ ଯୁବକ ନିଖୋଜ ଘଟଣାକୁ ୫ ଦିନ ବିତିଯାଇଛି । କିନ୍ତୁ ଏବେ ବି ଉଦ୍ଧାର ହୋଇପାରିଲେନି ନିଖୋଜ ଯୁବକ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହିତ ଓଡ୍ରାଫ, NDRF ଏବଂ ଇଣ୍ଡିଆନ ନାଭି ସାମିଲ ହୋଇଥିଲେ ମଧ୍ୟ ଏବେ ଯାଏଁ ଯୁବକଙ୍କର ପତ୍ତା ମିଳୁନି । ଏନେଇ NITରୁ ଅଣାଯାଇଛି ଏକ ସ୍ୱତନ୍ତ୍ର ରୋବଟ । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଏବେ ରୋବଟ ଚେଷ୍ଟା ଚଳାଇଛି । ଏତେ ଗଭୀର ପାଣିରେ ଯୁବକଙ୍କୁ ଖୋଜିବା ଅସମ୍ଭବ ହୋଇପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ରୋବଟର ସାହାଯ୍ୟ ନିଆଯାଇଛି ।
ମଣିଷ ଏତେ ଗଭୀର ପାଣି ଭିତରକୁ ଯାଇପାରିବନି ସତ କିନ୍ତୁ ରୋବଟ ଅତି ସହଜରେ ପାଣି ଭିତରେ ପ୍ରବେଶ କରି ପାରିବ । ରୋବଟ ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏବେ ଆଶା ଜନ୍ମିଛି । ରୋବଟକୁ କଣ୍ଟ୍ରୋଲ କରିବା ପାଇଁ ଅନ୍ୟମାନେ ଚେଷ୍ଟା କରୁଛନ୍ତି ।
ସୂଚନା ଅନୁସାରେ ନିଖୋଜ ଯୁବକ ହେଉଛନ୍ତି ନୟାଗଡ଼ ଅଞ୍ଚଳର ଓମ ପ୍ରକାଶ ରଥ ସେ ଖୋର୍ଦ୍ଧା ବିଡିଏ କଲୋନୀରେ ରହୁଥିଲେ । ଗଭୀର ପାଣିରେ ରିଲ୍ସ କରୁଥିବା ସମୟରେ ଓମ୍ ନିଖୋଜ ହୋଇଥିଲେ । ଏହି ଘଟଣାକୁ ୫ ଦିନ ବିତି ଯାଇଥିଲେ ବି ଆଜି ଯାଏଁ ଉଦ୍ଧାର ହୋଇପାରି ନାହାନ୍ତି ଯୁବକ । ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ କୁ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଥିଲା ଏଭଳି ଅଘଟଣ । ଗତ ସୋମବାର ଦିନ ୪ ଜଣ ଜଣ ଯୁବକ ସାଙ୍ଗ ହୋଇ ବୁଲିବାକୁ ଏଠାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଦୁଇ ଜଣ ଯୁବକ ଗଭୀର ପାଣି ଭିତରକୁ ଖସି ଯାଇଥିଲେ। ସାଙ୍ଗରେ ଯାଇଥିବା ଯୁବକମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟ ଜଣକୁ ଉଦ୍ଧାର କରି ପାରିନଥିଲେ । ପାଣିରେ ବୁଡ଼ିଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚିଥିଲା । କିନ୍ତୁ ୫ ଦିନ ଧରି ଖୋଜାଖୋଜି କରାଯାଉଥିଲେ ବି ଯୁବକଙ୍କ ପତା ନମିଳିବାରୁ ଓଡ୍ରାଫ ପରେ NDRF , ଇଣ୍ଡିଆନ ନାଭି ଆଉ ଏବେ NITରୁ ଆସିଥିବା ଏକ ରୋବଟ ଉଦ୍ଧାର କାର୍ଯ୍ୟରେ ଲାଗିଛି ।
ଏଭଳି ସ୍ଥାନରେ ରିଲ୍ସ କରିବା କେତେ ଯେ ବିପଜ୍ଜନକ ତାହା ନ କହିବା ଭଲ । କିନ୍ତୁ ବର୍ତ୍ତମାନର ଯୁବ ପିଢ଼ି ଏଭଳି ସ୍ଥାନରେ ରିଲ୍ସ କରି ବିପଦ ମୁହଁରେ ପଡ଼ୁଛନ୍ତି । ଏଭଳି ବେଆଇନି ଖଣି ଗୁଡିକୁ ପ୍ରଶାସନ କଣ ପାଇଁ ବନ୍ଦ କରୁନାହିଁ ଯେଉଁଥିପାଇଁ ଏହି ସ୍ଥାନରେ ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଏଭଳି ସ୍ଥାନକୁ ଶୀଘ୍ର ବନ୍ଦ କରାଯିବା ପାଇଁ ଜୋର ଧରିଛି ଦାବି ।