ଝରଣା ନିକଟରେ ସେଲଫି ଓ ଭିଡିଓ କଲିଂ ବେଳେ ଗୋଡ଼ ଖସି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ

ଦେବଗଡ (କେନ୍ଯୁଜ୍) : ଏମିତିରେ ତ ସେଲଫି ପ୍ରତିଦିନ ଜୀବନ ନେଉଛି । ହେଲେ ଏବେ ଭିଡିଓ କଲିଂ ବି ପ୍ରାଣ ନେବା ଆରମ୍ଭ କରିଛି । ଜଣେ ଫାର୍ମାସୀ ଛାତ୍ର ଅତି ଖୁସିରେ ଝରଣା ନିକଟରେ ସେଲଫି ନେବା ସହ ସାଙ୍ଗମାନଙ୍କୁ ଭିଡିଓ କଲିଂ କରି ଦେଖାଉଥିଲେ । ହେଲେ ଗୋଡ଼ ଖସିଗଲା ଏବଂ ସେଇ ଝରଣା ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଗଲା ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ବର ଜଳକୁଣ୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଆଲ୍ଲାହାବାଦରେ ଫାର୍ମାସୀ ପାଠ ପଢୁଥିବା ଦେବଗଡର ଜଣାଶୁଣା ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ଣା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ (୨୩)ଙ୍କର ଗତକାଲି ଏଭଳି ଭାବେ ମୃତ୍ୟୁ ଘଟିଛି । ସକାଳେ ପ୍ରାତଃ ଭ୍ରମଣ ପାଇଁ ସେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡ ପାହାଡ ଉପରେ ଥିବା ଜଳକୁଣ୍ଡ (୧ ନମ୍ବର)କୁ ଯାଇଥିଲେ । ସେଠାରେ ଜଳକୁଣ୍ଡ କଡରେ ଠିଆହୋଇ ସେଲ୍ଫି ନେବା ସହ ତାଙ୍କର ଜଣେ ବନ୍ଧୁଙ୍କୁ ସେଠାରୁ ଭିଡିଓ କଲିଂ କରି ସେଠାକାର ଦୃଶ୍ୟ ଦେଖାଉଥିଲେ । ତେବେ ଦୁର୍ଯୋଗକୁ ଏହି ସମୟରେ ତାଙ୍କର ଗୋଡ ଖସିଯିବାରୁ ସେ ଜଳ କୁଣ୍ଡରେ ପଡ଼ିଯିବା ସହ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ ।

ଶୁଭମ୍‌ଙ୍କ ପରିବାର ଲୋକେ ଗତକାଲି ସକାଳୁ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ବିବ୍ରତ ହୋଇ ପଡିଥିଲେ । ତେବେ ଯେଉଁଥି ପାଇଁ ସେ ମୃତ୍ୟୁବରଣ କଲେ ସେହି ଭିଡିଓ କଲିଂ ହିଁ ତାଙ୍କୁ ଠାବ କରିବାରେ ସାହାଯ୍ୟ କଲା । ଭିଡିଓ କଲିଂ ବେଳେ ଅଚାନକ ମୋବଇଲଟି ସୁଇଚ ଅଫ୍ ହୋଇଯାଇଥିବାର ଦୃଶ୍ୟ ପ୍ରଧାନପାଟ ଜଳ ପ୍ରପାତର ବୋଲି ତାଙ୍କ ବନ୍ଧୁଙ୍କ ଠାରୁ ଜଣାପଡ଼ିଲା । ଏହାପରେ ପରିବାର ଲୋକେ ଆଜି ସେଠାକୁ ଯାଇ ଖୋଜାଖୋଜି କରିବା ପରେ ଶୁଭମଙ୍କର ମୃତଦେହ ଜଳକୁଣ୍ଡର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ ।

ଏ ସମ୍ପର୍କରେ ସେମାନେ ଦେବଗଡ ଥାନା ପୋଲିସକୁ ସୂଚନା ଦେଇଥିଲେ । ପରେ ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡ ମଧ୍ୟରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମୃତ୍ୟୁର ପ୍ରକୃତ କାରଣ ନେଇ ଖୋଳତାଡ଼ ଚାଲିଛି । ହେଲେ ଶୁଭମଙ୍କର ବନ୍ଧୁଙ୍କ କଥାରୁ ସେ ସେଲ୍ଫି ନେଉଥିବା ବେଳେ ପାଣିରେ ବୁଡି ଜୀବନ ହରାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.