ସ୍ୱଚ୍ଛତା ସମସ୍ତଙ୍କ ପାଇଁ, ସ୍ୱିଜରଲାଣ୍ଡର ଏକ ପରିବାର ରାସ୍ତା ସଫେଇ କଲେ କୋରାପୁଟରେ

ଜୟପୁର (କେ ନ୍ୟୁଜ୍) : ସ୍ୱଚ୍ଛ ଭାରତ ସୁସ୍ଥ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ଲୋଗାନ୍ ଏବେ ସାରା ଦେଶରେ ଚାଲିଛି । ହେଲେ ଆଜି କୋରାପୁଟ ସହରରେ ଦେଖିବାକୁ ମିଳିଥିଲା ସ୍ୱଚ୍ଛ ଭାରତର ଅଭିଯାନର ଏକ ନିଆରା ଦୃଶ୍ୟ । ସୁଦୂର ସ୍ୱିଜରଲାଣ୍ଡରୁ ଆସିଥିବା ଏକ ପରିବାର ର ସମସ୍ତ ସଦସ୍ୟ ଆଜି ସକାଳେ କୋରାପୁଟ ସହରର ପ୍ରତ୍ୟକ ଗଳି କନ୍ଦିରେ ବୁଲି ଅଳିଆ ଆବର୍ଜନା ସବୁ ସଫା କରିବାରେ ଲାଗି ପଡ଼ିଥିଲେ । କେହି ତାଙ୍କୁ କହି ନଥିଲେ କି ପ୍ରଚାର ପାଇଁ ଏସବୁ ସେମାନେ କରୁନଥିଲେ । ସେମାନେ ଚୁପ୍ଚାପ ଆସି ରାସ୍ତାଘାଟରେ ପଡ଼ିଥିବା ଅଳିଆ ସବୁ ଉଠାଇ ଏକ ବ୍ୟାଗ୍ରେ ଭର୍ତ୍ତି କରିଥିଲେ ।
ନିଜ ଅନ୍ତରରୁ ସେମାନେ ଏଭଳି ଏକ ମହତ୍ କାମ କରି ପରୋକ୍ଷରେ ଚେତାଇ ଦେଇଥିଲେ କୋରାପୁଟ ସହରବାସୀଙ୍କୁ । ଆବର୍ଜନା ଯଦି ପକାଇବା ନାହିଁ ତ ସଫେଇର ଆବଶ୍ୟକତା ବି ରହିବ ନାହିଁ । ସେହି ବାଟ ଦେଇ ଯିବା ଆସିବା କରୁଥିବା ଲୋକେ ସିନା ଏସବୁ ଦେଖୁଥିଲେ ଓ ପ୍ରଶଂସା ବି କରୁଥିଲେ । ହେଲେ ଆମର କହିବା କଥା, ଏଥିରେ ସାମିଲ ହୋଇଥିଲେ ଅନ୍ତତଃ ଆମର ସମ୍ମାନ ରହିଥାନ୍ତା ।