ଦୀର୍ଘ ୭ବର୍ଷ ଧରି ୫ କିଲୋମିଟର ବାଟ ପାହଡ ଚଢି ପିଲାଙ୍କୁ କରୁଛନ୍ତି ଶିକ୍ଷାଦାନ

କେନ୍ଦୁଝର : ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ। ଖାଲି ପାଠପଢ଼ା କ୍ଷେତ୍ରରେ ନୁହେଁ; ସଂଗୀତ, ନୃତ୍ୟ, ଚିତ୍ରକଳାଠାରୁ ଆରମ୍ଭ କରି ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆମେ ଗୁରୁଟିଏ ଲୋଡ଼ିଥାଉ। ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ । ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଶିକ୍ଷକ ହେବ ତ ଏମିତି । କେନ୍ଦୁଝରର ଆଦର୍ଶ ଶିକ୍ଷକ କଳେବର ସାର୍ । ଏ ଜଙ୍ଗଲ, ପାହାଡ ଭରା ରାସ୍ତାରେ ରହିଛି ବଣ୍ୟଜନ୍ତୁଙ୍କର ଭୟ । କିନ୍ତୁ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନଜରରେ ରଖି ଏସବୁକୁ ତାଙ୍କର ଖାତିର ନାହିଁ । ଖରା,ବର୍ଷା, ଶୀତ ସବୁକୁ ଅଣଦେଖା କରି ସେ ଛାତ୍ର, ଛାତ୍ରୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଦୀର୍ଘ ୭ବର୍ଷ ଧରି ପାହଡ ଚଢି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ।
ତେବେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଦୁର୍ଗମ ଉପର କାଦକଳା ଗାଁ । ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳେବର ମହାନ୍ତ ପ୍ରତିଦିନ ୫ କିଲୋମିଟର ବାଟ ଖଣ୍ଡାଧାର ପାହାଡ ଚଢି ଏହି ବିଦ୍ୟାଳୟକୁ ଆସନ୍ତି । ଏହି ପାହାଡ଼ରେ ୫କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ତାଙ୍କୁ ଲାଗିଯାଏ ୧ଘଣ୍ଟା । ଦୀର୍ଘ ୭ବର୍ଷ ଧରି ୫ କିଲୋମିଟର ପାହାଡ଼ ଚଢ଼ି ସେ ଏଭଳି ପାହାଡ ଚଢି ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି । କଳେବର ସାର୍ ଙ୍କର ଏଭଳି ଶିକ୍ଷାଦାନରେ ଦୃଢମନା ପାଇଁ ସବୁମହଲରେ ଛୁଟିଛି ପ୍ରଶଂସାର ସୁଅ ।
ଉପର କାଦକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ସମ୍ପ୍ରଦାୟର, ୧ମ ରୁ ୮ମ ଶ୍ରେଣୀ ଯାଏ ୧୦୧ ଜଣ ପିଲା ପାଠ ପଢନ୍ତି । ଏହାପରେ ଗାଁ ବାହାରକୁ ଯିବାକୁ ପଡୁଥିବାରୁ ଅଧିକାଂଶ ପିଲାଙ୍କ ପାଠରେ ଡୋରି ବନ୍ଧାହୁଏ । କଳେବର ସାର୍ ଙ୍କ ପରି ଆଦର୍ଶ ଓ ଉତ୍ସର୍ଗୀକୃତ ଶିକ୍ଷକଙ୍କ ପାଇଁ ଏଠାରେ ଦୀର୍ଘ ଦିନ ଧରି ଛାତ୍ର, ଛାତ୍ରୀମାନେ ନିରନ୍ତର ଭାବେ ଶିକ୍ଷା ପାଇପାରୁଛନ୍ତି । ଗାଁର ଶତାଧିକ ଲୋକେ ନିଜର ନିତିଦିନିଆ କାମ, ଭତ୍ତା, ପିଡିଏସ୍ ସାମଗ୍ରୀ, ସ୍ବାସ୍ଥ୍ୟସେବା ଆଦି ପାଇଁ ଜଙ୍ଗଲ, ପାହାଡ ଡେଇଁ ତଳ କାଦକଳା ଯାଇଥାନ୍ତି । ଏବେ ନୂତନ ସରକାରଙ୍କ ଠାରୁ ଗାଁ ସମସ୍ୟାର ସମାଧାନ ପାଇଁ ଆଶା ରଖିଛନ୍ତି ଗ୍ରାମବାସୀ ।