ଭଦ୍ରକ: ଚକାଚକ୍ ସ୍କୁଲ ସାଙ୍ଗକୁ ସ୍ମାର୍ଟ କ୍ଲାସ ରୁମ୍ । ସ୍କୁଲକୁ ଯିଏ ଦେଖିବ ସିଏ ଭାବିବ ଭଲ ସ୍କୁଲ୍ ହୋଇଥିବ ନିଶ୍ଚୟ । ହେଲେ ସ୍କୁଲ୍ ଭିତରକୁ ଯାଇ ଦେଖିଲେ ଆପଣଙ୍କୁ ତାଯୁବ ଲାଗିବ । କାରଣ ସ୍କୁଲ୍ ଅଛି ପିଲା ଅଛନ୍ତି ହେଲେ ଶିକ୍ଷକ ନାହାନ୍ତି । ଏଠାରେ ତିନିଟି ଶ୍ରେଣୀକୁ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଏ ହେଇଛି ଭଦ୍ରକ ଜିଲ୍ଳା ଚାନ୍ଦବାଲି ବ୍ଲକର ବଂସଡ଼ା ଉଚ୍ଚ ବିଦ୍ୟାଳୟର ସମସ୍ୟା । ଏଥିରୁ ଆପଣ ଅନୁମାନ କରୁଥିବେ ଏଠାରେ କିପରି ପାଠପଢୁଥିବେ ଛାତ୍ର ଛାତ୍ରୀମାନେ ।
ଶିକ୍ଷକ ନଥିବାରୁ ପିଲାମାନେ ଭଲ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ହେଲେ ପ୍ରଶାସନ କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଚାନ୍ଦବାଲି ବ୍ଲକର ଏହି ସ୍କୁଲଟି ବହୁ ପୁରାତନ ସ୍କୁଲ । ୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ସ୍କୁଲ । ସ୍କୁଲଟି ଯେତିକି ପୁରୁଣା ତାର ସମସ୍ୟା ମଧ୍ୟ ସେତିକି ପୁରୁଣା । ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ମୋଟ ୧୯୩ଜଣ ପିଲା ପାଠ ପଢୁଛନ୍ତି । ହେଲେ ତିନି ଶ୍ରେଣୀ ପାଇଁ ଅଛନ୍ତି ଜଣେ ଶିକ୍ଷକ ।
ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଜଣେ ମାତ୍ର ଶିକ୍ଷକ ପାଠ ପଢାଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଜଣେ ମାତ୍ର ଶିକ୍ଷକ ପାଠ ପଢାଉଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଛାତ୍ର ଛାତ୍ରୀ । ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ବାରମ୍ବାର ପ୍ରଶାସନ ଓ ଶିକ୍ଷା ବିଭାଗକୁ ଜଣାଇଛନ୍ତି ହେଲେ ସମସ୍ୟାର ସମାଧାନ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସି । ଏ ସଂପର୍କରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁହନ୍ତି ମୁଁ କଣ କରିପାରିବି ଯାହା ବିଭାଗ ବିଚାର କରିବ ।
ତେବେ ଏ ବାବଦରେ ବ୍ଲକ୍ ଶିକ୍ଷାଧିକାରୀ କହିଛନ୍ତି ଗେଷ୍ଟ ଟିଚର ଦିଆଯାଇଛି ସେ ଯୋଗ ଦେଇନାହାନ୍ତି । ଅନ୍ଧାରରେ ୧୯୩ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ । କାରଣ ପାଠ ପଢ଼ିବା ପାଇଁ ଉତ୍ତମ ବାତାବରଣ ଥିବା ସତ୍ତ୍ୱେ ବି ଶିକ୍ଷକ ନଥିବାରୁ ପିଲା ପଢ଼ିପରୁନାହାନ୍ତି ପାଠ । ଗୋଟେ ଶ୍ରେଣୀର ପିଲା ପାଠ ପଢିଲେ ଅନ୍ୟ ଦୁଇ ଶ୍ରେଣୀ ପିଲା ଚୁପଚାପ୍ ହୋଇ ଶିକ୍ଷକଙ୍କ ଆସିବା ବାଟକୁ ଅନାଇ ବସିଥାନ୍ତି । ତେଣୁ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି ହୋଇଛି ।