ଭୁବନେଶ୍ୱର : ନୂଆ ବିଧାୟକ ପଢିବେ ପାଠ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ସେମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ନୂଆ ବିଧାୟକ ମାନଙ୍କୁ ନେଇ ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ବିଧାନସଭା ପକ୍ଷରୁ କରାଯାଉଛି । ଯାହାକି ବହୁତ ଭଲ ପଦକ୍ଷେପ । ତେବେ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜେ ପି ନଡ୍ଡା, କରିଣ ରିଜ୍ଜୁଜ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହିତ ବରିଷ୍ଠ ସାଂସଦ ଭ୍ରତୁହରି ମହତାବ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ବ୍ୟକ୍ତିତ୍ୱ ମାନେ ଯୋଗ ଦେଇ ନୂଆ ବିଧାୟକ ମାନଙ୍କୁ ଟ୍ରେନିଂ ଦେବେ ।
ଯେଉଁମାନେ ସଂସଦ କି ବିଧାନସଭା ନୂଆ କରି ଯାଆନ୍ତି ସେମାନଙ୍କର ଓରିଏଣ୍ଟସନ କାର୍ଯ୍ୟକ୍ରମ କରାଯାଏ । ସେହି କାର୍ଯ୍ୟକ୍ରମରେ ଅଭିଜ୍ଞ ବ୍ୟକ୍ତିତ୍ୱ ମାନେ ଯେଉଁମାନେ ରୂଲ ଆଣ୍ଡ ପ୍ରୋସିଜିଅର ସହିତ ଜଡ଼ିତ ସେମାନେ ଟ୍ରେନିଂ ଦିଅନ୍ତି । ଆମକୁ ଭଲ ବିଧାୟକ ଓ ସାଂସଦ ହେବାକୁ ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ନିହାତି ଆବଶ୍ୟକ । ଏଥର ବିଧାନସଭା ରେ ସମୁଦାୟ ୮୪ଜଣ ବିଧାୟକ ପ୍ରଥମ କରି ନିର୍ବାଚିତ ହୋଇଛନ୍ତି।
ତେବେ ଏହି ପ୍ରଶିକ୍ଷଣକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ । ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଅବଗତ ହେବେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ପାଠ ପଢ଼ିବେ ।
ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ପାଠ ପଢ଼ାଇବେ ଅଭିଜ୍ଞ, ବରିଷ୍ଠ ବିଧାୟକ ଓ ମନ୍ତ୍ରୀ ।ସଂସଦୀୟ ପରମ୍ପରା ଓ ଶିଷ୍ଟାଚାର ଉପରେ ନୂଆ ବିଧାୟକଙ୍କୁ ଜ୍ଞାନ ବାଣ୍ଟିବେ ଅଭିଜ୍ଞ ବିଧାୟକ । ନୂଆ ଜୋସ ଓ ନୂଆ ସ୍ବପ୍ନ ନେଇ ବିଧାନସଭାକୁ ଆସିଛନ୍ତି ନୂଆ ବିଧାୟକ । ଗୃହ ବିଷୟରେ ବହୁତ କିଛି ଶିଖିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ବେଶ ସହାୟକ ହେବ ।