ଶିକ୍ଷକଙ୍କ ନିଆରା ବିଦାୟକାଳୀନ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀ ଦେଲେ ଦାମୀ ଉପହାର
![](https://knewsodisha.com/wp-content/uploads/2024/12/teacher-1.jpg)
ଜଣେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦାୟ ସମୟରେ ତାଙ୍କୁ ଯେଉଁ ଉପହାର ମିଳିଛି ସେ ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । ଶିକ୍ଷକଙ୍କୁ ବିଦାୟ ସମୟରେ ସୁନା ମୁଦି ଠାରୁ ଆରମ୍ଭ କରି ସ୍କୁଟି ତଥା ଅନ୍ୟାନ୍ୟ ଦାମୀ ଦାମୀ ଉପହାର ମିଳିଛି । ୩୮ ବର୍ଷ ଶିକ୍ଷକତା କରିବା ପରେ ଅବସର ସମୟରେ ପୁରୁଣା ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ ଗୁରୁଙ୍କୁ ବିଭିନ୍ନ ଉପହାର ଦେଇ ସମ୍ମାନିତ କରିଛନ୍ତି । କିଏ ଗୁରୁଙ୍କ ପାଦ ଧୋଇ ପୂଜାର୍ଚ୍ଚନା କରିଛି ତ କିଏ ଟଙ୍କା ମାଳ ପିନ୍ଧାଇ ଗାଁ ପରିକ୍ରମା କରିବାରେ ଲାଗି ପଡ଼ିଥିଲେ । ଏମିତି ଅବସର ହୁଏତ କେହି ଦେଖି ନଥିବେ । ଛାତ୍ରଛାତ୍ରୀଙ୍କ ଏଭଳି ଭଲ ପାଇବା ଦେଖି ଭାବ ବିହ୍ବଳ ହୋଇପଡ଼ିଥିଲେ ଶିକ୍ଷକ ।
ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗାଁରେ ଶିକ୍ଷକଙ୍କୁ ଏଭଳି ବିଦାୟ ଦିଆଯାଇଛି । ଗାଁରେ ଥିବା ରାଧାକୃଷ୍ଣ ବିଦ୍ୟାପୀଠରେ ପ୍ରସନ୍ନ କୁମାର ତ୍ରିପାଠୀ ଗଣିତ ଶିକ୍ଷକ ରୂପେ ଚାକିରି କରିବା ଆରମ୍ଭ କରିଥିଲେ । ପ୍ରସନ୍ନ କୁମାର ସାର ଅତ୍ୟନ୍ତ ମିଷ୍ଟ ଭାଷୀ । ତେବେ ସେ ଯେଉଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ ସେମାନେ ଏବେ ବିଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି । ତେଣୁ ସାରଙ୍କ ଅବସର ଖବର ପାଇବା ପରେ ଯିଏ ଯେଉଁଠି ଥିଲେ ସମସ୍ତେ ଗାଁକୁ ଆସିଥିଲେ ଏବଂ ସାରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସାରଙ୍କୁ ନେଇ ଗାଁ ପରିକ୍ରମା କରାଯାଇଥିଲା ।
ସୁନା ମୁଦି, ସ୍କୁଟି, ଗ୍ରାଇଣ୍ଡର, ପୋଷାକ ଏବଂ ବହୁ ସାମଗ୍ରୀ ଦେଇଥିଲେ ପୁରାତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ଛାତ୍ରଛାତ୍ରୀ । ଅନ୍ୟପଟେ ଶିକ୍ଷକ ଗାଁ ବୁଲିବା ବେଳେ କିଛି ସ୍ଥାନରେ ତାଙ୍କୁ ଟଙ୍କା ମାଳ ପିନ୍ଧାଇଥିଲେ ଗ୍ରାମବାସୀ । ପିଲାଙ୍କ ଠାରୁ ଉପହାର ଗ୍ରହଣ କରିବା ସମୟରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସାର । ପିଲାମାନେ ଗୁରୁଙ୍କ ପାଦ ଧୋଇ ମଥାରେ ଫୁଲ ପକାଇ ଯେମିତି ପୂଜା କରିଛନ୍ତି ତାହା ସତରେ ଆପଣଙ୍କ ମନକୁ ଛୁଇଁବ l
ଶିକ୍ଷକ ତ ଅନେକ ଦେଖିଥିବେ କିନ୍ତୁ ପ୍ରସନ୍ନ କୁମାରଙ୍କ ଶିକ୍ଷକତା ଭିନ୍ନ ଥିଲା । ସେ ନିଃସ୍ବାର୍ଥଭାବେ ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ । ତାଙ୍କର ପାଠ ପଢ଼ାକୁ ଆଜି ଯାଏଁ ଭୁଲି ପାରି ନାହାନ୍ତି ଛାତ୍ରଛାତ୍ରୀ । ତେବେ ତାଙ୍କ ଅବସର ସମୟରେ ଏଭଳି କାର୍ଯ୍ୟକ୍ରମ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।