ଏକ ନିଆରା ଜନଶୁଣାଣି, ନିଜେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଲେ ବିଧାୟକ

ଜଳେଶ୍ୱର: ଏକ ନିଆରା ଜନଶୁଣାଣି । କାରଣ ଏଠି ଲୋକେ ଅଧିକାରୀଙ୍କ ପାଖକୁ ନୁହେଁ ବରଂ ବିଧାୟକ ଯାଇଥିଲେ ଲୋକଙ୍କ ପାଖକୁ । ସେମାନଙ୍କ ସମସ୍ୟା ବିଷୟରେ ଶୁଣି ତାହାର ସମାଧାନ କରିବା ପାଇଁ । ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ସରକାରଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ହୋଇଥାଏ । ସେହିଭଳି ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସାଙ୍ଗରେ ଧରି ଉପାନ୍ତ ଅଞ୍ଚଳକୁ ଗଲେ ବାଲେଶ୍ବର ଜିଲ୍ଲା ସଦର ବିଧାୟକ ମାନସ କୁମାର ଦତ୍ତ ।
ସିଧାସଳଖ ଲୋକମାନଙ୍କ ଅଭିଯୋଗ ଶୁଣିଲେ ବିଧାୟକ । କିଛି ସମସ୍ୟାର ତୁରନ୍ତ ସମାଧାନ କରିବା ସହ କିଛି ସମସ୍ୟା ଖୁବ ଶୀଘ୍ର ସମାଧାନ କରିବା ପାଇଁ ଦେଲେ ପ୍ରତିଶୃତି । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଜନଶୁଣାଣି । ଜିଲ୍ଲା ସଦର ମହକୁମା ଠାରୁ ଏହି ଗାଁ ୫୦ କିଲୋମିଟର ଦୂର ହୋଇଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଜିଲ୍ଲା ମୁଖ୍ୟାଳୟକୁ ଆସି ଅସୁବିଧାରେ ସମ୍ମୁଖୀନ ହେଉଥିଲେ ।
ତେଣୁ ବିଧାୟକ ସମସ୍ତ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ଲୋକଙ୍କ ନିକଟକୁ ଯାଇ ସମସ୍ତ ଅଭିଯୋଗ ଶୁଣିଛନ୍ତି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ୨୦୫ ଟି ଅଭିଯୋଗ ଶୁଣାଣୀ ହୋଇଥିଲା । ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଏବଂ ଜମିଜମା ଜନିତ ସମସ୍ୟା ସର୍ବାଧିକ ରହିଥିଲା । ଅଭିଯୋଗ ଆଧାରରେ ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ, ଭତ୍ତା ଇତ୍ୟାଦି ଅଭିଯୋଗ ଗୁଡିକ ଉପରେ ବିଚାର ପୂର୍ବକ ତୁରନ୍ତ ସେଗୁଡିକ ସମାଧାନ ନିମନ୍ତେ ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସାଥୀରେ ରହିଛି । ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ତ୍ବରିତ ସମାଧାନ ପାଇଁ ରାଜ୍ୟରେ ସରକାର ଦୃଢ ପ୍ରତିଶୃତିବଦ୍ଧ ବୋଲି ବିଧାୟକ କହିଥିଲେ । ଅନ୍ୟପଟେ ନିଜ ଅଞ୍ଚଳରେ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଏବଂ ବିଧାୟକ ଉପସ୍ଥିତ ରହି ସମସ୍ୟା ସମାଧାନ କରିଥିବାରୁ ସଧାରଣ ଜନତା ବେଶ ଖୁସି ଅଛନ୍ତି । ତେଣୁ ବିଧାୟକ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଲୋକେ । ବିଧାୟକଙ୍କ ଏଭଳି ଜନଶୁଣାଣି ରାଜ୍ୟର ଅନ୍ୟ ନେତାମାନଙ୍କ ପାଇଁ ଉଦାହରଣ ସାଜିଛି ।
Also read: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ