ନିଆରା ବାହାଘର, ସ୍ଵାମୀ ଆଖିରେ ଦୁନିଆ ଦେଖିବ ସ୍ତ୍ରୀ

ଚାନ୍ଦବାଲି : ହାତରେ ମେହେନ୍ଦୀ ଲଗାଇ ନିଜ ମନର ମଣିଷକୁ ଅନାଇ ବସିଛନ୍ତି ଶକୁନ୍ତଳା । ନାଲି ଶାଢ଼ୀ ନାଲି ଚୁଡି ପିନ୍ଧି ଏକଦମ୍ ଲାଲ ଟୁକଟୁକ ସାଧବ ବୋହୁ ଭଳି ସଜେଇ ହୋଇ ବସିଛି ଶକୁନ୍ତଳା । ନିଜେ ଦେଖିପାରୁନି ସିନା କିନ୍ତୁ ଅନୁଭବ କରିପାରୁଛି ତା ବାହାଘରରେ ହୋଇଥିବା ସାଜସଜାକୁ । ବନ୍ଧୁ କୁଣିଆ ଆସିଛନ୍ତି ଶକୁନ୍ତଳା ବାହାଘରକୁ । ଘର ପୂରି ଉଠୁଛି, ସମସ୍ତଙ୍କ ଆଶିର୍ବାଦ ନେଇ ଆଜି ଶକୁନ୍ତଳା ହାତ ଧରିବ ବାବୁଲାଙ୍କର । ସିଏ ବି ଜଣେ ଭିନ୍ନକ୍ଷମ । ବାବୁଲା କଥା କହିପାରନ୍ତିନି କି କାନକୁ ମଧ୍ୟ ଶୁଭେନାହିଁ । କିନ୍ତୁ ଏମାନେ ଦୁଇ ଜଣଙ୍କ ଯୋଡିକୁ ଦେଖିଲେ ଯେମିତି ଲାଗୁଛି ଏ ଦୁହିଁଙ୍କର ଯୋଡି ସ୍ୱୟଂ ଭଗବାନ ଗଢ଼ିଛନ୍ତି ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜାମଜୋଡି ପଂଚାୟତ ଚାରିତରଫପୁର ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର । ଯେଉଁଠି ବର କନିଆଁ ଦୁଇଜଣ ଯାକ ଭିନ୍ନକ୍ଷମ । କନିଆଁ ହେଉଛନ୍ତି ଦୃଷ୍ଟିହୀନ ଆଉ ବରଙ୍କୁ ଠିକସେ ଶୁଭେନାହିଁ କି ସେ କଥା କହିପାରନ୍ତି ନାହିଁ । କିନ୍ତୁ ଏବେ ଉଭୟ ଉଭୟଙ୍କର ସାହାରା ପାଲଟିବେ ।
ଏ ଦୁହିଁଙ୍କର ବିବାହ ଦେଖିବାକୁ ଅନେକ ଲୋକ ଯୋଗ ଦେଇଥଲେ । ପଡୋଶୀଙ୍କ ସମେତ ବନ୍ଧୁ ପରିଜନ ସମସ୍ତେ ଦେଖୁଥାନ୍ତି ବାହାଘର । କାହିଁକିନା ଏଇ ବାହାଘର ସାଧାରଣ ଭଳି ଦେଖାଯାଉଥିଲା ସିନା କିନ୍ତୁ ସାଧାରଣ ନଥିଲା । ଭାରି ନିଆରା ଥିଲା ବାବୁଲା ଶକୁନ୍ତଳାଙ୍କ ବାହାଘର ।
ଏହି ବିବାହରେ ଯୁବକ ଓ ଯୁବତୀ ଘରର ଲୋକମାନେ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଗୋପିନାଥପୁର ପଂଚାୟତ ବାଲିପଦା ଗ୍ରାମର ବାବୁଲା ସେନାପତି ଜଣେ ଭିନ୍ନକ୍ଷମ । ସମସ୍ତଙ୍କ ପରି ସେବି ସ୍ଵପ୍ନ ଦେଖିଥିଲା ବାହା ହୋଇ ଘର ସଂସାର କରିବେ । ଆଉ ତାଙ୍କ ସ୍ଵପ୍ନକୁ ପୂରଣ କରିଛନ୍ତି ଜାମଜୋଡି ପଂଚୟତର ଚାରିତରଫପୁର ଗାଁର ଶକୁନ୍ତଳା ଦାସ ନାମକ ଜଣେ ଦ୍ରୁଷ୍ଟିହୀନ ଯୁବତୀ ।
ବାବୁଲା ବର ବେଶରେ ବରଯାତ୍ରୀ ନେଇ କନ୍ୟା ଘରେ ପହଁଚି ରିତୀନୀତି ଅନୁସାରେ ବାହାହୋଇଛନ୍ତି । ତେବେ ଏହି ବାହାଗର ପରେ ନିଜେ ଦେଖିପାରୁନଥିବା କନ୍ୟା କହିଛନ୍ତି ମୁଁ ସିନା ଦେଖିପାରୁନି ହେଲେ ମୁଁ ଏବେଠୁ ମୋ ସ୍ଵାମୀଙ୍କ ଆଖିରେ ଦୁନିଆ ଦେଖିବି ।