ଗଞ୍ଜାମ ଧରାକୋଟ ଗଡଜାତରେ ଦେଖିବାକୁ ମିଳେ ନିଆରା ପରମ୍ପରା, ଏକାଦଶୀରେ ହୋଇଥାଏ ବାହୁଡା ଯାତ୍ରା

ଗଞ୍ଜାମ: ସାରା ବିଶ୍ଵରେ ସରିଯାଇଛି ବାହୁଡା ଯାତ୍ରା । କାଳିଆ ଠାକୁର ଭାଇଭଉଣୀଙ୍କୁ ସାଥିରେ ନେଇ ବାହୁଡିଛନ୍ତି ବଡ଼ଦାଣ୍ଡକୁ । କିନ୍ତୁ ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲା ଧରାକୋଟ ଗଡଜାତରେ ଦେଖିବାକୁ ମିଳିଥାଏ ନିଆରା ବାହୁଡା ଯାତ୍ରା । ଏଠାରେ ଏକାଦଶୀରେ ପାଳନ ହୋଇଥାଏ ବାହୁଡା ଯାତ୍ରା । ତେବେ ବେଶ ନିଆରା ଢଙ୍ଗରେ ମହିଳା ରାଜା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ରଥରେ ବିଜେ ପରେ ବଡଦାଣ୍ଡରେ ଗଡିଥାଏ କାଳିଆ ଠାକୁରଙ୍କ ରଥ । ଠିକ ରାଜତନ୍ତ୍ର ଢାଞ୍ଚାରେ ଏଠାରେ କାହିଁ କେଉଁ ବର୍ଷ ଧରି ପାଳନ ହୋଇଆସୁଛି ବାହୁଡା ଯାତ୍ରା ।

ସେପଟେ ରଥ ଉପରେ ବିରାଜମାନ ଚତୁଦ୍ଧାମୂରତିଙ୍କ ସହ ରାଜାଙ୍କୁ ଦର୍ଶନ କରିବା ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସତରେ ଏହା ଏକ ଅନନ୍ୟ ପରମ୍ପରା । ରାଜତନ୍ତ୍ରର ପରମ୍ପରା ଅନୁସାରେ ଧରାକୋଟ ଗଡଜାତ ଅଞ୍ଚଳର ରାଜା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ପାଟ ପଟୁଆର ସହ ମନ୍ତ୍ରି ପ୍ରଜା ଧରି ପାଲିଙ୍କିରେ ବସି ନଗର ପରିକ୍ରମା କରିବା ପରେ ରଥରେ ବିରଜାମାନ ହୋଇଥିଲେ । ଆଉ ଏହାପରେ ଧରାକୋଟ ବଡଦାଣ୍ଡରେ ଆଗକୁ ଗଡିଥିଲା କାଳିଆ ଠାକୁରଙ୍କ ରଥ । ସତେ ଯେମିତି ସାରା ପରିବେଶ ବାଦ୍ୟ ବାଦଣାରେ କମ୍ପି ଉଠିଥାଏ ।

ସେପଟେ ମାହାବାହୁଙ୍କ ସମେତ ରାଜାଙ୍କୁ ଦର୍ଶନ କରିବା ପାଇଁ ସାରା ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଏଭଳି ନିଆରା ବାହୁଡା ଯାତ୍ରା ଏହି ଧରାକୋଟ ଗଡଜାତ ଅଞ୍ଚଳରେ କାହିଁ କେଉଁ ଆବାହମାନକାଳରୁ ପାଳନ ହୋଇଆସୁଛି । ସବୁଠି ରାଜତନ୍ତ୍ର ଲୋପ ପାଇଯାଇଥିଲେ ମଧ୍ୟ ଏବେ ବି ଏହି ଗଡଜାତ ଅଞ୍ଚଳରେ ସେହି ରାଜକୀୟ ପରମ୍ପରା ବଞ୍ଚିରହିଛି । ଏଠାରେ ବାହୁଡା ଯାତ୍ରାରେ ଯେଉଁ ରାଜକୀୟ ପରମ୍ପରା ଦେଖିବାକୁ ମିଳିଥାଏ ତାକୁ ନେଇ ସାରା ଅଞ୍ଚଳବାସୀ ବେଶଗର୍ବିତ ବୋଲି କୁହନ୍ତି ।

ରଥଯାତ୍ରା ପାଖେଇ ଆସିଲେ ଧରାକୋଟ ରାଜପ୍ରାସାଦ ଉତ୍ସବ ମୁଖର ହୋଇଉଠିଥାଏ । ଆଉ ପ୍ରତ୍ୟେକ ଦିନ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗିଥାଏ ଦେଖଣାହାରିଙ୍କ ଭିଡ । ବାହୁଡା ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହରୁ ଅନେକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏଭଳି ପରମ୍ପରାକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ ବୋଲି ମତ ଦେଇଛନ୍ତି ଧରାକୋଟ ଗଡଜାତ ଅଞ୍ଚଳର ମହିଳା ରାଜା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ । ଏ ବର୍ଷ ସରିଯାଇଛି ବାହୁଡା ଯତ୍ରା । ପୁଣି ବାରମାସ ତେରପର୍ବ ପରେ ଆସିବ ସେହି ରଥଯାତ୍ରା ଓ ବାହୁଡାଯତ୍ରା । ଆସନ୍ତା ବର୍ଷ ପାଇଁ ସମସ୍ତଙ୍କ ଅପେକ୍ଷା ।

You might also like