ନିଆରା ପରମ୍ପରା ହେଉଛି ପ୍ରସିଦ୍ଧ କାଳୀମେଘା ମେଲଣ, ରଙ୍ଗରୁ ଆରମ୍ଭ ହୋଇ କାଦୁଅ ହୋଲି ଖେଳରେ ସରିଥାଏ

ଭଦ୍ରକ: ରଙ୍ଗ ଓ କାଦୁଅ ହୋଲିର ନିଆରା ପରମ୍ପରା ହେଉଛି ପ୍ରସିଦ୍ଧ କାଳୀମେଘା ମେଲଣ । ଏଠି ରଙ୍ଗରୁ ଆରମ୍ଭ ହୋଇ କାଦୁଅ ହୋଲି ଖେଳରେ ସରିଥାଏ ଏହି ମେଳଣ । ଯାହାକି ସାରା ରାଜ୍ୟରେ ଅନ୍ୟ କେଉଁଠି ଏହି ଭଳି ପରମ୍ପରା ଦେଖିବାକୁ ମିଳି ନ ଥାଏ । ତେବେ ଏଭଳି ନିଆରା ହୋଲି ଓ ମେଳଣ ଉତ୍ସବ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ ମୁକୁନ୍ଦପୁର ପଞ୍ଚାୟତର କାଳୀମେଘା ଗାଁ ରେ କେତେବର୍ଷ ଧରି ହୋଇ ଆସୁଛି । ଏହି ଗାଁରେ ଅନୁଷ୍ଠିତ ହୋଇଥିଲା ଐତିହାସିକ କାଳୀମେଘା ମେଳଣ। ଏହି ମେଳଣରେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ଏହି ମେଳଣ ୧୭୦୨ ମସିହାରେ ମୋଗଲ ଶାସନ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଆସୁଛି ମେଳଣ ।

ଏହି ମେଲଣକୁ ଚଳିତ ବର୍ଷ ୩୨୩ ବର୍ଷରେ ପଦାର୍ପଣ କରିଛି । ଏହି ମେଳଣ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୋଳ ପୁର୍ଣ୍ଣିମା ସନ୍ଧ୍ୟାରୁ ଏହି ମେଳଣ ଉତ୍ସବ ଆରମ୍ଭ ହୋଇଥିଲା । ବିଭିନ୍ନ ଗାଁରୁ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଏଠାରେ ଆସି ପହଞ୍ଚି ଥିଲେ । ସବୁଠୁ ବଡ଼ କଥା ହେଲା ଠାକୁର ବାଡିଆ ମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥାଏ ଏହି ମେଳଣ କୁ । କିନ୍ତୁ ଠାକୁର ମାର୍ଫତଦାର ମାନେ ନିଜ ନିଜ ବିମାନଙ୍କୁ ସ୍ୱତନ୍ତ୍ର ଶୋଭା ଯାତ୍ରାରେ ଭବ୍ୟ ପ୍ରସେସନ କରି ମେଳଣ ପଡିଆକୁ ଆଣିଥିଲେ । ପ୍ରଥମେ ଗୋପୀନାଥ ଜୀଉ ମେଳଣ ପଡିଆ ରେ ପହଞ୍ଚିବା ପରେ ଠାକୁରଙ୍କୁ ଅବିର ଦିଆଯାଇ ମେଳଣ ଉତ୍ସବର ଶୁଭାରମ୍ଭ କରାଯିବାର ପରମ୍ପରା ରହିଛି । ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିଥିଲେ ମେଲଣ କମିଟି କର୍ମକର୍ତ୍ତା ମାନେ । ସେହିପରି ବିମାନରେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦେଖି ଫଗୁ ଦେଇ ଆର୍ଶୀବାଦ ନେଇଥାନ୍ତି ଭକ୍ତ ମାନେ । ଏହି ମେଲଣକୁ ଚଳିତ ବର୍ଷ ବେଶ ଧୁମଧାମରେ ପାଳନ କରିଛନ୍ତି କାଳୀମେଘା ପୂଜା କମିଟି । ତେଣୁ ଦର୍ଶକ ମାନଙ୍କ ଭରପୁର ସମାବେଶ ହୋଇଥିଲା ଏହି ମେଲଣରେ ।

ସେହିପରି ଭାବେ ଏହି ଐତିହାସିକ କାଳୀମେଘା ମେଲଣର ରହିଛି ଭିନ୍ନ ଏକ ନିଆରା ପରମ୍ପରା । ପ୍ରଥମେ ଗୋପୀନାଥଙ୍କ ଆଶୀର୍ବାଦ ନେଇ ଅବିର ରୁ ଆରମ୍ଭ ହୋଇ ଥିବା ଏହି ପ୍ରସିଦ୍ଧ ମେଳଣ ଦଧିବାମନ ଜୀଉଙ୍କ ଆଗମନ ବେଳେ କାଦୁଅ ହୋଲି ଖେଳ ରେ ଏହି ମେଳଣ ସରିଥିଲା । ପୂର୍ବ ପୁରୁଷ କରିଥିବା ଏହି ପରମ୍ପରାକୁ ନେଇ ଏହି ଭଳି ନିଆରା ହୋଲି ପାଳନ କରିଥାନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି । କେବଳ ସେତିକି ନୁହେଁ ରଘୁନାଥ,ଦଧି ବାମନ ଜୀଉ, ଅଗସ୍ତି ଙ୍କୁ ପ୍ରସେସନ କରି ଅଣାଯିବା ବେଳେ କାଦୁଅ ହୋଲି ଉତ୍ସବ ଆରମ୍ଭ ହୋଇଥିଲା । ଯୁବକ ମାନେ ପରସ୍ପର ମଧ୍ୟରେ କାଦୁଅ ଲଗାଲଗି ହୋଇ ହୋଇ ହୋଲି ଠାକୁରଙ୍କ ସମୁଖ ରେ ଖେଳିଥିଲେ । ପରେ ତିନି ଠାକୁର ମେଲଣ ପଡିଆକୁ ଆସି ୭ ଥର ପରିକ୍ରମା କରି ବସିବା ପରେ ମେଲଣ ଉତ୍ସବ ଶେଷ ହୋଇଥିଲା । ଯାହା ବେଶ ଚିତାକର୍ଷକ ଥିଲା ।

ଏହି ମେଲଣକୁ ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେପରି ବାହାରୁ ଆସିଥିବା ଭକ୍ତ ମାନେ ଶାନ୍ତି, ଶୃଙ୍ଖଳା ସହ ବିମାନ ରେ ଥିବା ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହି ମେଲଣରେ ପାଖାପାଖି ୫୦ଟିରୁ ଉର୍ଦ୍ଧ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦର୍ଶନ କରୁଛନ୍ତି ଭକ୍ତ ମାନେ । ସେହିପରି ଏହି ମେଲଣରେ ବିଭିନ୍ନ ପ୍ରକାର ଦୋକାନ ବଜାର ପଡିଥିଲା । ତେଣୁ ଦର୍ଶକ ମାନେ ମେଳଣ ଦେଖିବା ସହିତ ଦୋକାନ ବଜାର ଜିନିଷ ପତ୍ର କିଣିବା ସହିତ ସ୍ୱାଦିଷ୍ଟ ଖାଦ୍ୟ ଖାଇ ବେଶ ଆନନ୍ଦିତ ହୋଇଥିଲେ ।

Also read:ମାଟି ବୋହି ଶ୍ରମିକଙ୍କୁ ଉତ୍ସାହିତ କଲେ ନୂଆପଡ଼ା ଜିଲ୍ଲାପାଳ, ଚାରିଆଡ଼େ ହେଉଛି ଚର୍ଚ୍ଚା