ବାରିପଦା: ସାପ ନାଁ ଶୁଣିଲେ ମନରେ ଛନକା ପଶେ । ସ୍କୁଟି ହେଡ ଲାଇଟ ଭିତରୁ ହଠାତ ଏକ ବିଷଧର ସାପ ବାହାରି ପଡ଼ିଲା । ଗାଡ଼ି ଚଳାଉଥିବା ସମୟରେ ହିଁ ହ୍ୟାଣ୍ଡେଲ ବାଟ ଦେଇ ଫଣା ଟେକି ବାହାରିଥିଲା ସାପ । ହେଡଲାଇଟରୁ ବାହାରି ସିଧା ମହିଳାଙ୍କ ହାତ ଉପରେ ଚଢ଼ି ଯାଇଥିଲା। ଯାହାକୁ ଦେଖି ଭୟଭୀତ ହୋଇଯାଇଥିଲେ ମହିଳା । ଆଉ ସଙ୍ଗେ ସଙ୍ଗେ ଗାଡି ଷ୍ଟାର୍ଟ ବନ୍ଦ କରି ସ୍ନେକ ହେଲ୍ପ ଲାଇନକୁ ସୂଚନା ଦେଇଥିଲେ ।
ଏଭଳି ଏକ ଘଟଣା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଘଟିଯାଇଛି । ସୂଚନାଯୋଗ୍ୟ ବାରିପଦା ସ୍ଥିତ ପ୍ଲାନିଙ୍ଗ ଅଫିସରେ କାର୍ଯ୍ୟରତ ମହିଳା ସୁକାନ୍ତି ମୁର୍ମୁ ପ୍ରତିଦିନ ଭଳି ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ସ୍କୁଟିରୁ ସାପ ବାହାରିଥିଲା । ସ୍ୱଳ୍ପ ବର୍ଷା ଦେଉଥିବାରୁ ସେ ଧ୍ୟାନ ଦେଇ ନଥିବା ବେଳେ ହ୍ୟାଣ୍ଡେଲ ପାର୍ଶ୍ୱରୁ ଏକ ସାପ ବାହାରି ତାଙ୍କ ହାତ ଉପରେ ମାଡି ଯାଇଥିଲା। ହଠାତ ନଜର ପଡିବାରୁ ହାତକୁ ଛାଟି ଦେଇଥିଲେ ସୁକାନ୍ତି । ସାପଟି ସଙ୍ଗେ ସଙ୍ଗେ ଗାଡି ଭିତରକୁ ପଶି ଯାଇଥିଲା। ମହିଳା ଜଣକ କହିଛନ୍ତି ହଠାତ ସାପ ତାଙ୍କ ହାତ ଉପରେ ଚଢ଼ିଯିବ କେବେ ବି ସେ ଭାବି ନଥିଲେ । ସେ ସମୟର ଅନୁଭୂତି ବର୍ଣ୍ଣନା କରିବା ତାଙ୍କ ପାଇଁ ଅସମ୍ଭବ । ତାଙ୍କ ହାତ ଉପରେ ସାପ ଚଢି ଯିବା ସେ ପ୍ରଥମେ ଜାଣି ପାରି ନଥିଲେ ପରେ ନଜର ପଡିବା ପରେ ଡରି ଯାଇଥିଲେ ସୁକାନ୍ତି । ହେଲେ ସାହାସର ସହ ହାତକୁ ପଛକୁ ନେଇ ଆସିଥିଲେ ଏବଂ ସଙ୍ଗେ ସଙ୍ଗେ ସାପ ଧରାଳି କୃଷ୍ଣ ଗୋଛାୟତଙ୍କୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି ଏବଂ ବାଇକ ମିସ୍ତ୍ରୀ ଘଟଣାସ୍ଥଳନରେ ପହଞ୍ଚିଥିଲେ । ବହୁ ଚେଷ୍ଟା କରିବା ପରେ ଦୁହେଁ ସାପଟିକୁ ଉଦ୍ଧାର କରିଥିଲେ। ବର୍ଷା ଦିନରେ ସାପ ଗୁଡିକ ବିଚରଣ କରିବା ପାଇଁ ବାହାରକୁ ବାହାରନ୍ତି ତେଣୁ ଗାଡି ଚଳାଇବା ପୂର୍ବରୁ ଟିକେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।
ଅନେକ ସମୟରେ ଏଭଳି ଭାଇରାଲ ଭିଡିଓ ଆସିଥାଏ । ସାପମାନେ ଜୋତାରେ କିମ୍ବା ଗାଡ଼ିରେ ଏମିତି ଲୁଚି ରହିଥାନ୍ତି । ତେଣୁ ଆପଣ ଘରୁ ବାହାରିବା ପୂର୍ବରୁ ଏହି ସବୁ ଜିନିଷକୁ ଭଲ ଭାବେ ଚେକ୍ କରନ୍ତୁ । ନଚେତ କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବନି ।