ପେଡ୍ ପରିୟଡ଼ ଲିଭ୍ ପାଇଁ ଜଣେ ଯୁବତୀଙ୍କ ସଂଘର୍ଷ, ବ୍ୟାପକ ରୂପ ନେଉଛି ଅଭିଯାନ

ସମୟ ବଦଳିଛି ଆଉ ତା ସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ସମାଜରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ଏବେ ମହିଳାମାନେ ବି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିସାରିଲେଣି । ଆଜିର ଯୁଗରେ ନାରୀ ବି କାହାଠାରୁ କମ ନୁହେଁ । ଏବେ ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି ମହିଳା । ଏହାରି ଭିତରେ ପେଡ୍ ପିରିୟଡ ଲିଭ ବା ପିପିଏଲ ପାଇଁ ଅନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀ ଆୟୋଜନ କରାଇଲେ ଓଡ଼ିଆ ଝିଅ ରଂଜିତା ପ୍ରିୟଦର୍ଶନୀ ପ୍ରଧାନ ।

ପେଡ ପିରିୟଡ ଲିଭ୍ ପାଇଁ ବିଭିନ୍ନ ଫୋରମରେ ଦାବି କରି କର୍ମଜିବୀ ମହିଳାଙ୍କ ସ୍ୱର ପାଲଟିଥିବା ରଂଜିତା ଏବେ ବିଶ୍ବସ୍ତରରେ ଏହି ଦାବିକୁ ଗୁଂଜରିତ କରିଛନ୍ତି । ରଂଜିତାଙ୍କ ଦାବି ଶୁଣିଛନ୍ତି ୨୦ଟି ଦେଶର ବିଶିଷ୍ଟ ବ୍ୟକ୍ତି । ସମ୍ବଲପୁରରେ ଜନ୍ମିତ ତଥା ଛତିଶଗଡ଼ର ଆଇନ ଛାତ୍ରୀ ରଂଜିତା ପ୍ରିୟଦର୍ଶିନୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଋତୁସ୍ରାବ ସମୟରେ ମହିଳାଙ୍କୁ ଗୋଟିଏ ଦିନ ଦରମାଯୁକ୍ତ ଛୁଟି(ପିପିଏଲ୍) ଅଭିଯାନ ବ୍ୟାପକ ରୂପ ନେବାରେ ଲାଗିଛି ।

ନୂଆଦିଲ୍ଲୀର କନ୍ ଷ୍ଟିଚ୍ୟୁସନ୍ କ୍ଲବ ଅଫ୍ ଇଣ୍ଡିଆ ସଭା କକ୍ଷରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ୨୦ଟି ରାଜ୍ୟର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ରାଜନେତାଙ୍କଠାରୁ ଆରମ୍ଭକରି ବ୍ୟବସାୟୀ, ସାମାଜିକ କର୍ମୀ, ସରକାରୀ ଅଧିକାରୀଙ୍କ ସମେତ ମିଳିତ ଜାତିସଂଘ କାର୍ଯ୍ୟରତ ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀମାନେ ସମ୍ମିଳନୀରେ ସାମିଲ ହୋଇ ଉକ୍ତ ଅଭିଯାନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଏସ୍ଏଆଇଇଭିଏସିର ମହାନିର୍ଦ୍ଦେଶକ ଡ. ରିଚେନ୍ ଚୋଫେଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଂଜିତାଙ୍କ ଏହି ଅଭିଯାନର ପ୍ରଶଂସା କରିଥିଲେ । ରଂଜିତା ନିକଟରେ କେନିଆରେ ଅନୁଷ୍ଠିତ ମିଳିତ ଜାତିସଂଘର ସିଏସ୍ ସି ସମ୍ମିଳନୀରେ ଏହି ପ୍ରସଂଗ ପ୍ରଥମେ ଉତ୍ ଥାପନ କରିବା ପରେ ରୁଟ୍ଟୁ ବ୍ଲୁମ୍, ଜନାଦେଶ ଫାଉଣ୍ଡେସନ, ଇକୋ କନ୍ସଲଟିଂ ସର୍ଭିସେସ ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଲେଡି ଇରୱିନ କଲେଜର ଏନ୍ ଏସ୍ଏସ୍ ସ୍ବେଚ୍ଛାସେବୀଙ୍କ ସହଯୋଗରେ ନୂଆଦିଲ୍ଲୀରେ ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ଥୋଉସିଫ୍ ପାସା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ୨୫ଟି ସଂଗଠନରେ ପିପିଏଲ୍ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବେ ବୋଲି କହିଥିଲେ । ଆଜି ମହିଳା ସଶକ୍ତ । ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି । କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି । ନାରୀ ସର୍ବଂସହା, ଜଗତ ଜନନୀ । ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତି କ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢିଚାଲିଛି ।

You might also like