ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ବିଚ୍ ରାସ୍ତାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ଯା

ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ଯା । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଏପରିକି ଉତ୍ଯକ୍ତ ଲୋକେ ହତ୍ଯାକାରୀଙ୍କ ଘରେ ନିଆଁ ଲଗେଇଦେଇଛନ୍ତି । ଉତ୍ତେଜନା ଦେଖି ଘଟଣା ସ୍ଥଳରେ ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ଘଟିଛି ।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଗାଁ ଛକରେ ନିଜ ବାଇକ୍ ଉପରେ ବସିଥିବା ସେକ୍ ରେହମତ୍ ନାମକ ଯୁବକଙ୍କୁ ସେହି ଗାଁର ମୁନା ଜେନା ନାମକ ଯୁବକ ଠେଙ୍ଗାରେ ଆକ୍ରମଣ କରିଥିଲେ । ବାରମ୍ବାର ମୁଣ୍ଡରେ ଠେଙ୍ଗା ପାହାର ଯୋଗୁଁ ଘଟଣା ସ୍ଥଳରେ ରେହମତର ମୃତ୍ଯୁ ହୋଇଛି । ଘଟଣା ପ୍ରଘଟ ହେବାପରେ ଗାଁ ଲୋକଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ଯକ୍ତ ଲୋକେ ଗାଁ ଛକ ଠାରେ ଟାୟାର ଜାଳି ରାସ୍ତା ରୋକ କରିବା ସହ ଅଭିଯୁକ୍ତ ଘରେ ନିଆଁ ଲଗାଇଦେଇଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଅଡି ବସିଛନ୍ତି ଗ୍ରାମବାସୀ । ଖବରପାଇ ଆନନ୍ଦପୁର ଏସଡିପିଓ, ରାମଚନ୍ଦ୍ରପୁର ଥାନା ଅଧିକାରୀ, ଆନନ୍ଦପୁର ଥାନା ଅଧିକାର ଙ୍କ ସହ ପୋଲିସ୍ ଫୋର୍ସ ଗାଁରେ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।