ମୁଁ ନିଃସର୍ତ୍ତ କ୍ଷମା ମାଗୁଛି : ଅଭିଜିତ ଆୟର ମିତ୍ର

ଭୁବନେଶ୍ବର (କେନ୍ୟୁଜ୍) : ନିଜ କୃତକର୍ମ ପାଇଁ ପୁଣି କ୍ଷମା ମାଗିଲେ ଅଭିଜିତ ଆୟର ମିତ୍ର । ସ୍ୱାଧିକାର ଭଙ୍ଗ ଅଭିଯୋଗ ମାମଲାରେ ସତ୍ୟପାଠ ଦାଖଲ କରି ସେ ନିଃସର୍ତ୍ତ କ୍ଷମା ମାଗିଛନ୍ତି । ଆଜି ବିଧାନସଭା ଗୃହ କମିଟି ଆଗରେ ଉପସ୍ଥିତ ରହି ସେ ସତ୍ୟପାଠ ଦାଖଲ କରିଥିଲେ । ଆଜି ତୃତୀୟ ଥର ପାଇଁ ଗୃହ କମିଟିରେ ସେ ହାଜର ହୋଇଥିଲେ । ଗତକାଲି ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିନଥିଲେ ଅଭିଜିତ୍ । ଏଥିପାଇଁ ଆଜି ତାଙ୍କୁ ଶେଷ ସୁଯୋଗ ଦେଇଥିଲା କମିଟି । ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇ ସତ୍ୟପାଠ ଦାଖଲ କରିବା ପରେ ତାଙ୍କୁ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସତ୍ୟପାଠରେ ଅଭିଜିତ୍ ନିଜକୁ ଜଣେ ଜାତୀୟ ନିରାପତ୍ତା ଓ ସୁରକ୍ଷା ଶିଳ୍ପ ବିଶେଷଜ୍ଞ ବୋଲି ଦର୍ଶାଇଛନ୍ତି ।
ଅଭିଜିତଙ୍କ ସତ୍ୟପାଠକୁ ଆଧାର କରି କମିଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ । ଓଡ଼ିଶା, କୋଣାର୍କ ମନ୍ଦିର ଓ ବିଧାୟକଙ୍କ ପ୍ରତି ଅପଶଦ୍ଦ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ । ଏନେଇ ତାଙ୍କ ନାଁରେ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିବା ପରେ ଏବେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏବେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।