କାଲିମେଳା: ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ । କାର୍ଯ୍ୟରେ କରୁଛନ୍ତି ଅନିୟମିତତା । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପ୍ରତି କରୁଛନ୍ତି ଦୁର୍ବ୍ୟବହାର । ଏଭଳି ଅଭିଯୋଗ ଆଣିଛନ୍ତି ଗାଁ ଲୋକଙ୍କ ସହ ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ଏମ୍. ଭି- ୫୭ ଗାଁର ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଖବର । ସ୍କୁଲର ପ୍ରଧାନ ଶିକ୍ଷକ କ୍ରିଷ୍ଣା ମଣ୍ଡଳ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦେଉନଥିବାରୁ ଛାତ୍ରଛାତ୍ରୀମାନେ ଅଣ୍ଡା ମାଗିଥିଲେ । କିନ୍ତୁ ସେମାନଙ୍କୁ ପ୍ରଧାନ ଶିକ୍ଷକ ଅଣ୍ଡା ଦେବା ବଦଳରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ।
ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେହି ଟଙ୍କାର ଅପ ବ୍ୟବହାର କରାଯାଉଛି । କ୍ଲାସରେ ପିଲା ମାନଙ୍କୁ ପାଠ ପଢ଼ା ଯାଉନି ଏବଂ ଅଭିଭାବକମାନେ ପଚାରିଲେ ତାଙ୍କୁ ନାଲି ଆଖି ଦେଖାଉଛନ୍ତି ସ୍କୁଲର ଶିକ୍ଷକ । ଏଭଳି ଘଟଣାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ଦେଖାଯାଇଛି । ପ୍ରଧାନ ଶିକ୍ଷକ କ୍ରିଷ୍ଣା ମଣ୍ଡଳ ସପ୍ତାହରେ ଦିନେ ବା ଦୁଇ ଦିନ ସ୍କୁଲ ଯାହାନ୍ତି କିନ୍ତୁ ଉପସ୍ଥାନ ଖାତାରେ ସେ ପ୍ରତିଦିନ ବିଦ୍ୟାଳୟକୁ ଆସୁଥିବା ଲେଖିଥାନ୍ତି । ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଉପସ୍ଥାନ ଖାତାଟିକୁ ଗାଁ ଲୋକେ ନିଜ ପାଖରେ ରଖିଛନ୍ତି । ଯଦି ଏହି ଘଟଣାର ତୁରନ୍ତ ସମାଧାନ କରାନଯାଏ ତେବେ ସ୍କୁଲରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ । ଘଟଣାକୁ ନେଇ କାଲିମେଳା ABEO କହିଛନ୍ତି ସମସ୍ତ ଘଟଣାର ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ।
ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଏନେଇ ପିଲାମାନଙ୍କ ପାଠ ପଢ଼ା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ତେବେ ଯାହା ବି ହେଉନା କାହିଁକି ପିଲାମାନଙ୍କ ପାଠ ପଢ଼ାରେ କୌଣସି ସମସ୍ୟା ନହେଉ ଏହା ହିଁ ମୂଳ ଉଦ୍ଦେଶ୍ୟ ରହିବା ଉଚିତ୍ ।