ୱାରେଣ୍ଟି ଭିତରେ ହଇରାଣ କଲା କମ୍ପାନୀ, ଖାଉଟି ଅଦାଲତ ନିର୍ଦ୍ଦେଶରେ ଘରେ ପହଞ୍ଚିଲା AC
ବୌଦ୍ଧ: ଘର ଦୁଆରେ ଥୁଆ ହୋଇଛି ନୂଆ ଏସି । କିନ୍ତୁ ଏହି ଏସିଟିକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଲୋକଟି ଖରାଦିନ ପାଇଁ ତା ଘରକୁ ଏସିଟି କିଣିଛନ୍ତି । ବୋଧହୁଏ ଏବେ ଅଫସିଜିନ୍ ରିହାତିରେ ମିଳୁଥିବ । ସତରେ ଘଟଣା ଯଦି ଏଇଆ ତେବେ ଆମେ ଖବର କାହିଁକି ଏ ଖବର ପ୍ରସାରଣ କରୁଛୁ ଯେ ?…. ନାଁ ଆଜ୍ଞା, ଆପଣ ଯେମିତି ଭାବୁଛନ୍ତି କଥାଟା ପ୍ରକୃତରେ ସେଇଆ ନୁହେଁ । ଏସିଟି ଲାଗିବ ଘରେ ସତ କିନ୍ତୁ ଏସିଟି ଆସିଲା କେମିତି ତା ପଛରେ ଏକ ବଡ଼ କାହାଣୀ ରହିଛି । ଏସି ନାଁରେ ଅଭିଯୋଗ ହୋଇଥିଲା । ଘର ଦୁଆରେ ରହିଥିବା ଥୁଆ ହୋଇଥିବା ଏସିକୁ ନେଇ ରହିଛି ଏକ ରୋମାଞ୍ଚକର କାହାଣୀ, ଯାହା ଗ୍ରାହକମାନେ ଜାଣିବା ଉଚିତ୍ । ଇଏ ଖାଲି ଶୁଣି ମଜା ନେବାର କଥା ନୁହେଁ, ଏଆ ଆପଣମାନଙ୍କୁ ସଚେତନ ମଧ୍ୟ କରାଇବ ।
ହଁ ଦର୍ଶକ ବନ୍ଧୁ , ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତର ସୁଭଦ୍ରା ନାଏକ । ଗତ ୨୦୨୧ ମସିହା ୨୪ ତାରିଖ ମାର୍ଚ୍ଚ ମାସରେ ୩୭ ହଜାର ଟଙ୍କା ଦେଇ ଏକ ନାମୀ କମ୍ପାନୀର ଏସି ପୁରୁଣାକଟକର ଦୋକାନରୁ କିଣି ନିଜ ଘରେ ଲଗାଇ ଥିଲେ । ଏସି ଟିର ୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ରହିଥିଲା । ହେଲେ ୨ ବର୍ଷ ଠିକଠାକ ଚାଲିବା ପରେ ଏସି ଟି ଖରାପ ହେଇଗଲା । ଏ ନେଇ ସୁଭଦ୍ରା କମ୍ପାନୀ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଦାଖଲର କିଛି ମାସ ବିତି ଗଲା ପରେ କମ୍ପାନୀର କିଛି ମେକାନିକ ଆସି ଏସି ଦେଖିବା ସହିତ କହି ଦେଇଗଲେ ୧୫ ହଜାର ଟଙ୍କା ଦେଲେ ନୂଆ ଏସି ମିଳିବ । ଏହି ଏସି ଟି ଆଉ ସଜାଡ଼ି ହେବ ନାହିଁ । ହେଲେ ୩୭ ହଜାର ଟଙ୍କା ଦେଇ ଦୁଇ ବର୍ଷ ତଳେ ଏସି କିଣିଥିଲେ । ପୁଣି ୧୫ ହଜାର ଟଙ୍କା ଦେବାକୁ ଅରାଜି ହେଲେ ସୁଭଦ୍ରା । ପାଖରେ ଟଙ୍କା ନଥିବା କହି କମ୍ପାନୀ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କମ୍ପାନୀ ସୁଭଦ୍ରାଙ୍କ ଅଭିଯୋଗକୁ ଏଡ଼ାଇ ଗଲା ।
ଶେଷରେ ସେ ବାଧ୍ୟ ହୋଇ ବୌଦ୍ଧ ଖାଉଟି ଅଦାଲତ ନିକଟରେ ଅଭିଯୋଗ କରିଥିଲେ । ଅଦାଲତରେ ବିଚାର ଚାଲିଲା । ଆଉ ଶେଷରେ ହିତାଧିକାରୀଙ୍କୁ ଏକ ନୂଆ ଏସି ଦେବା ପାଇଁ ସେହି କମ୍ପାନୀକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କମ୍ପାନୀ ମୁଣ୍ଡ ନୁଆଁଇବା ସହିତ ଏକ ନୂଆ ଏସି ସୁଭଦ୍ରା ଘରକୁ ଆଣି ନିଜେ ଦେଇଗଲା । ଏହା ସହିତ ତାଙ୍କରି ମେକାନିକ ଆସି ଖୁବ୍ ଶୀଘ୍ର ଏସି ଲଗାଇ ଦିଆଯିବ ବୋଲି କହିଥିଲେ କମ୍ପାନୀ ପକ୍ଷରୁ କୁହାଗଲା । ଏସି ବଦଳରେ ଆଉ ଏକ ନୂଆ ଏସି ପାଇ ସୁଭଦ୍ରାଙ୍କ ପରିବାର ଖୁସି କହିଲେ ନସରେ ।
ତେବେ ବିଭିନ୍ନ କମ୍ପାନୀର ୱାରେଣ୍ଟି ରହିଥିଲେ ମଧ୍ୟ କମ୍ପାନୀ ସେବା ଯୋଗାଇ ନଦେବାର ନଜିର ରହିଛି । ତେଣୁ କୌଣସି ଜିନିଷ କିଣିଲା ବେଳେ ଭଲ ଭାବେ ସର୍ତ୍ତ ବିଷୟରେ ଜାଣନ୍ତୁ ଏବଂ ସୁଭଦ୍ରା ଯେମିତି ଆଇନକୁ ସଠିକ୍ ଭାବେ ବୁଝି ଅଦାଲତର ଦ୍ବାରସ୍ଥ ହେଲେ ସେହିଭଳି କରନ୍ତୁ । ସେଥିପାଇଁ ସେ ଖାଉଟିମାନଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।