ଘଟଗାଁ : ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୧ ମୃତ ୬ ଆହତ

ଘଟଗାଁ (କେନ୍ୟୁଜ୍) – ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ହରିଚନ୍ଦନପୁର ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ଯୁବକର ବାହାଘରର ବରଯାତ୍ରୀ ନିମନ୍ତେ ଗ୍ରାମର ଯୁବକମାନେ ହରିଚନ୍ଦନପୁରର ଏକ ମହିନ୍ଦ୍ରା ଟିୟୁଭି ଗାଡି ଯୋଗେ ଖମାର ନିକଟସ୍ଥ ଏକ ଗ୍ରାମକୁ ଯାଉଥିଲେ ।

ପଣ୍ଡାପଡା ଥାନା ଅନ୍ତର୍ଗତ ନୁଦୁରପଡା ଛକ ନିକଟରେ କୌଣସି କାରଣକୁ ହଠାତ୍ ଭାରସାମ୍ୟ ହରାଇ ବରଯାତ୍ରୀ ଗାଡିଟି ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସହ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ଥିବା ଯୁବକମାନଙ୍କୁ ପଣ୍ଡାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଯାଇଥିବାର ଜଣାପଡିଛି ।

ମୃତକ ଜଣକ ହେଲେ ରଘୁନାଥପୁର ଗ୍ରାମର ଗୋଲଖ ପ୍ରଧାନଙ୍କ ପୁଅ ସ୍ବାଧୀନ ପ୍ରଧାନ (୨୦) ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟିଥିବାର ଖବର ପାଇ ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ନିଜ ଅକ୍ତିଆରକୁ ନେଇ ତଦନ୍ତ ଆରମ୍ଭ କରିଛି ।