ଦୁର୍ଘଟଣା ବଦଳାଇ ଦେଲା ଜୀବନ ପଥ, ବିଛଣାରେ ପଡ଼ି ରହିଛନ୍ତି ୨୪ ବର୍ଷର ଭେଣ୍ଡିଆ ପୁଅ

କେନ୍ଦ୍ରାପଡା: ୨୪ ବର୍ଷର ଭେଣ୍ଡିଆ ପୁଅ । ଯେଉଁ ବୟସରେ ଘରର ବୋଝ ବୋହିବା କଥା ସେହି ବୟସରେ ବିଛଣାରେ ପଡି ପରିବାର ପାଇଁ ବୋଝ ହୋଇଯାଇଛନ୍ତି । ରୋଜଗାରିଆ ପୁଅର ଏ ଅବସ୍ଥା ଦେଖି ବାପା ମା’ ଆଖିରୁ ଲୁହ ଗଡ଼ାଉଛନ୍ତି । କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ପଲେଇ ପଂଚାୟତ କନ୍ଦରପୁର ଗାଁର ପ୍ରବୀର ସ୍ବାଇଁ ଙ୍କର ଏକ ମାତ୍ର ୨୪ ବର୍ଷର ପୁଅ ଦୀପକ ପ୍ରସାଦ । ଡିପ୍ଲୋମା ଶେଷ କରିବା ପରେ ଭୁବନେଶ୍ୱରରେ ଏକ କମ୍ପାନୀରେ ଚାକିରି କରିଥିଲେ । କିନ୍ତୁ ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ଗତିପଥ ।

୪ ବର୍ଷ ହେଲାଣି ବିଛଣାରେ ପଡି ରହି ଛଟ ପଟ ହେଉଛନ୍ତି ଏହି ଦୀପକ । ବାପା ମାଆ ଏକମାତ୍ର ପୁଅର ଚିକିତ୍ସା କରି ସର୍ବଶ୍ବାନ୍ତ ହୋଇ ପଡ଼ିଲେଣି । ଏ ପରିବାର ମୁହଁରୁ ହଜିଯାଇଛି ଖୁସି । ଦୀପକ ଜଣେ ମାଧବୀ ଛାତ୍ର । ୨୦୧୯ ମସିହରେ ଡିପ୍ଲୋମା ଶେଷ କରିବା ପରେ ପ୍ରଥମେ ଗୋଆ ଓ ପରେ ଭୁବନେଶ୍ୱରେ ଏକ କମ୍ପାନୀରେ ନିଯୁକ୍ତି ପାଇଥିଲେ । ଦିପକଙ୍କ ସଫଳତାରେ ବାପା ମାଙ୍କ ଖୁସି କହିଲେ ନସରେ । ୨୦୨୧ ମସିହା ସେପ୍ଟେମ୍ବର ୨୭ ତାରିଖରେ ଘଟିଲା ଏକ ଅଘଟଣ । ଅଫିସରୁ ବାହାରି ସେ ହୋଟେଲକୁ ଖାଇବା ପାଇଁ ଯାଉଥିବା ସମୟରେ ପଛରୁ ଗୋଟିଏ ଗାଡି ଧକ୍କା ଦେଇଥିଲା । ତୁରନ୍ତ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହେଲେ ସତ କିନ୍ତୁ ମାସ କେଇଟା ପରେ ଦେଖାଦେଲା ସ୍ନାୟବିକ ସମସ୍ୟା । ସେବେଠାରୁ ଦୀପକ ବିଛଣାରେ ଏମିତି ପଡି ରହିଛନ୍ତି । ବ୍ୟୟବହୁଳ ଚିକିତ୍ସା କରି ସର୍ବସ୍ଵ ହରାଇ ସାରିଲେଣି ପରିବାର । କିନ୍ତୁ ଫଳ ଶୂନ ।

ଦୀପକଙ୍କର ପ୍ରତିଦିନ ଫିଜିଓ ଥେରାପି କରିବାକୁ ପଡ଼ୁଛି । ଦିପକ ସେବେଠାରୁ ନାଜାଲ ଫିଡିଙ୍ଗରେ ଖାଉଛନ୍ତି । ପୁଣି ପ୍ରତି ମାସରେ ଔଷଧ ଏବଂ ଅନ୍ୟ ମେଡିକାଲ ଉପକରଣ ବାବଦକୁ ଖର୍ଚ୍ଚ ହେଉଛି ପ୍ରାୟ ୨୫ ହଜାର ଟଙ୍କା । ଦୀପକଙ୍କ ବାପା ଚାଷୀ ବନ୍ଦୀ ଲୋକ । ଜୀବନର ସଞ୍ଚିତ ସମସ୍ତ ସମ୍ବଳ ପୁଅ ପଛରେ ଖର୍ଚ୍ଚ କରି ସାରିଲେଣି । ପୁଅର ଯତ୍ନ ନେବା ପାଇଁ ନିଜ କାମ ମଧ୍ୟ ଛାଡି ସାରିଲେଣି ସେ । ସାହି ପଡିଶା, ସମ୍ପର୍କୀୟଙ୍କ ସହାୟତାରେ ବେଶ କିଛି ଦିନ ଚିକିତ୍ସା ଖର୍ଚ୍ଚ ତୁଲେଇଲେ। କିନ୍ତୁ ଏବେ ପାଖରେ କାଣି କଉଡିଟିଏ ବି ନାହିଁ । ଏହି ପରିସ୍ଥିତିରେ ଯଦି କୌଣସି ସହୃଦୟ ବ୍ୟକ୍ତି ଅଥବା ସେଛାସେବୀ ଅନୁଷ୍ଠାନ ପୁଅର ଚିକିତ୍ସା ପାଇଁ ସହାୟତା କରିବା ପାଇଁ ଦୀପକଙ୍କ ମାତା ପିତା ନିବେଦନ କରିଛନ୍ତି । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି ସବୁପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ରୋଗଶଯ୍ୟାରେ ପଡ଼ିଥିବା ଦାପକଙ୍କ ଚିକିତ୍ସା ହୋଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଦୀପକଙ୍କୁ ଯଦି ଆପଣ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଠିକଣାରେ ସହାୟତା କରିପାରିବେ ।

PRABEER KUMAR SWAIN
BANK: SBI CHANDOL BRANCH
A/C No -11327297670
IFSC SBIN 0002038
Phonepe -9437103657

 

Also Read:ରାଜ୍ୟ ବାହାରେ ବନ୍ଧା ପଡିଛନ୍ତି ୪ ଶ୍ରମିକ, ବନ୍ଧକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନର ଦ୍ୱାରସ୍ତ ପରିବାର