ଗୋଟି ପହଣ୍ଡି ବେଳେ ଅଘଟଣ କିଛି ଅଶୁଭ ସଙ୍କେତ ନୁହେଁ ତ ? ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ରହିଛି ଏପରି କିଛି କଥା…

ପୁରୀ : ପୁରୀରେ ଆଡପ ପହଣ୍ଡି ବେଳେ ଅଘଟଣ ନେଇ ସବୁଠି ଚର୍ଚ୍ଚା । ଭକ୍ତଙ୍କ ମଧ୍ୟରେ ଭୟ ଓ ଆଶଙ୍କା । ଏହା କିଛି ଅଶୁଭ ସଙ୍କେତ ଦେଉଛି କି? କାହିଁକି ଏଭଳି ପଡ଼ି ଗଲେ ମହାପ୍ରଭୁ ବଳଭଦ୍ର ? ଅଘଟଣକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଭିନ୍ନଭିନ୍ନ ପ୍ରତିକ୍ରିୟା । ସେହିପରି ଯଦି ଆମେ ପୁରାଣ ଗ୍ରନ୍ଥ କଥା କହିବା ତେବେ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ସବିଶଦରେ ବର୍ଣ୍ଣନା ରହିଛି, ଯେ ଏହିପରି ଅଘଟଣ ଘଟିଲେ ରାଷ୍ଟ୍ରପ୍ରତି ବହୁ ବିପଦ ଦେଖାଯାଇଥାଏ । ଏହି ଅଘଟଣ ଦେଖାଗଲେ କଣ ସବୁ ଘଟିଥାଏ ସେ ସମ୍ପର୍କରେ ସ୍ବୟଂବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ।
ଗ୍ରନ୍ଥ ଅନୁସାରେ ବର୍ଣ୍ଣିତ ରହିଛି ଯେ… ” ହେ ରାଜା ! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ । ମହାମାରୀ ବାରମ୍ବାର ହେବ” । ଏପରିକି ପହଣ୍ଡି ସମୟରେ ଠାକୁର ପଡିଗଲେ ମହିଷୀ (ରାଣୀ)ଙ୍କର ମୃତ୍ୟୁ ହେବ । ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବା କଥା ଉଲ୍ଳେଖ ରହିଛି ।
ଏହା ମଧ୍ୟ କୁହାଯାଇଛି ଯେ ଏପରି ଅଘଟଣ ଘଟିଲେ ବ୍ରାହ୍ମଣମାନଙ୍କ ଦ୍ୱାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଇବ। ସେତିକି ସଂଖ୍ୟକ ଅର୍ଥାତ୍ ଗବ୍ୟ ଘୃତରେ ଏକ ଲକ୍ଷ ଆହୁତି ଦେଇ ହୋମ କରିବ । ତାହାର ଏକ ଦଶମାଂଶ ଅର୍ଥାତ୍ ଦଶହଜାର ତର୍ପଣ କରାଇବ।
ତେବେ ଚଳିତ ବର୍ଷ ରଥଯାତ୍ରାରେ ଏପରି ଅଘଟଣକୁ ନେଇ ଭକ୍ତଙ୍କ ଭାବନାରେ ଆଘାତ ଲାଗିଛି । ଅନେକ ପୁରୁଖା ସେବାୟତ ଓ ସ୍ଥାନୀୟ ବାସିନ୍ଦା ଏଭଳି ଘଟଣା ପୂର୍ବରୁ କେବେ ଦେଖି ନଥିବା କହିଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟବାସୀ ଓ ଭକ୍ତ ସମାଜଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା । ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା । ଏହି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ । ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ । ଏଥିରେ ଆହତ ହୋଇଥିବା ସେବାୟତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଆହତ ୭ଜଣ ସେବାୟତଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି ।
ସେପଟେ ବଡ଼ ଠାକୁର ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ଦୁଃଖରେ ମର୍ମାହତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଆହତ ସେବାୟତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି ସମ୍ବେଦନଶୀଳ ଘଟଣାର ଯେଉଁଭଳି ପୁନରାବୃତ୍ତି ନ ଘଟେ , ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।