କାଳୀଜାଇ ଯିବା ବାଟରେ ଦୁର୍ଘଟଣା: ବ୍ରିଜ ତଳକୁ ଖସିଲା ବସ୍, ଜଣେ ମୃତ

ନୟାଗଡ : ସକାଳୁ ସକାଳୁ ନୟାଗଡ଼ରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । କାଳୀଜାଇ  ଯିବା ବାଟରେ ବ୍ରିଜ ତଳକୁ ଖସିପଡ଼ିଛି ଏକ ଯାତ୍ରୀବାହୀ ବସ୍ । ଫଳରେ ଜଣଙ୍କ ମୃତ୍ୟୁହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରଣପୁର ଓ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍‌ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ । ସେମାନେ କାଳୀଜାଇ  ଦେଖିବା ପାଇଁ ଯାଉଥିଲେ । ମାତ୍ର ବସ୍‌ଟି ମଧ୍ୟ ରାତ୍ରିରେ ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜର ବାଡ଼ାକୁ ପିଟିଥିଲା । ଏହାପରେ ବସ୍‌ଟି ୧୫ ଫୁଟ ତଳକୁ ଖସି ପଡ଼ିଥିଲା ।  ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ତୁରନ୍ତ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ ଆହତ ହୋଇଛନ୍ତି ।