ରଡରେ ବନ୍ଧା ଜୀବନ, ରୋଜଗାର କରିବା ବୟସରେ ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ

ଜଣେ ବାପାର ପୁଅ ପାଇଁ କିଭଳି ଲୁହ ଝରୁଛି । ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏଭଳି ଲୁହ ଗଡ଼ାଉଛନ୍ତି ଏ ପରିବାର । କେମିତି ବା ନ ଦୁଃଖ କରିବେ ଜିଇବା ପାଇଁ ସଂଘର୍ଷ କରୁଛି ପୁଅ । କୋଉ ଦିନ ଚାଲିବ ପୁଅ ? ରୋଜଗାର କରିକି ଦେବା ବୟସରେ ବିଛଣାରେ ପଡ଼ି ଛଟପଟ ହେଉଛି ଭେଣ୍ଡିଆ ପୁଅ । ଦୁର୍ଘଟଣା ପରେ ସେବେଠୁ ହିଁ ଦେହରେ ଲାଗିରହିଛି ରଡ ।

ଏ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଉମାଦେଇ ବ୍ରହ୍ମପୁର ପଂଚାୟତର ହିରାପୁର ସାହାବାଜପୁର ଗାଁର ଚିକୁନ ଭୋଇ । ଚିକୁନିଙ୍କ ପରିବାର କହିଲେ ବାପା ମହେନ୍ଦ୍ର ଭୋଇ ମା’ ମୀନା ଭୋଇ । ବାପା ଦିନ ମଜୁରୀଆ ହୋଇଥିବାବେଳେ ମା’ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ର୍ୟକେନ୍ଦ୍ରରେ ଆଶାକର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପିଲାଟି ବେଳରୁ ବେଶ ଭଲ ଭାବରେ ନିଜ ଜୀବନକୁ ଅତିବାହିତ କରୁଥିଲେ । ତେବେ ଗତ ବର୍ଷ ଡ଼ିସେମ୍ୱର ମାସ ରେ ସେ ଭୁବନେଶ୍ଵର ନିଜ ସାଙ୍ଗ ସହିତ ଯାଉଥିବାବେଳେ ଟଙ୍କପାଣି ବ୍ରିଜ ନିକଟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ଚିକୁନଙ୍କର ପେଣ୍ଡା ନଳିଗୋଡ଼ ଅଣ୍ଟା ଏବଂ ଯୌନାଙ୍ଗରେ ଗୁରୁତର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଚିକିତ୍ସା ଚାଲିଲା । ଚିକୁନ ଭାବୁଥିଲେ ସେ ଭଲ ହୋଇଯିବେ ଆଉ ପୁଣି ଥରେ ନିଜର ସମସ୍ତ କାର୍ଯ୍ୟ କରିପାରିବେ ହେଲେ ଏବେ ସେ ଶଯ୍ୟାଶାୟୀ ହୋଇଯାଇଛନ୍ତି । ଯାହା ତାଙ୍କୁ ବହୁତ କଷ୍ଟ ହେଉଛି ବୋଲି ଚିକୁନ କହିଛନ୍ତି ।

ଚିକୁନଙ୍କ ଶରୀର ଧୀରେ ଧୀରେ ଅସୁସ୍ଥ ହେବାରେ ଲାଗିଲା । ଶରୀର ଦୁର୍ବଳ ହେଲା । ଚିକୁନଙ୍କ ଚିକିତ୍ସା କରିବା ପାଇଁ ତାଙ୍କୁ ବିଭିନ୍ନ ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକୁନଙ୍କ ଚିକିତ୍ସା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆହୁରି ଦୁଇ ଲକ୍ଷ ଟଙ୍କା ଦରକାର ବୋଲି ସ୍ଵାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କହିଥିଲେ । ଚିକୁନଙ୍କ ଶରୀରରେ ଲୁହା ରଡ଼ ଲାଗି ରହିଥିବା ବେଳେ ଏବେ ପୁନର୍ବାର ଅପରେସନ ପାଇଁ ଡ଼ାକ୍ତର କହୁଛନ୍ତି । ଯାହାକୁ ନେଇ ଚିକୁନଙ୍କ ପୁରା ପରିବାର ଚିନ୍ତାରେ । ଯାହା ଦି ପଇସା ଥିଲା ସରିଯିବା ପରେ ଘରବାଡ଼ି ବନ୍ଧା ପକାଇ ଟଙ୍କା ଆଣିଥିଲେ, ସେସବୁ ବି ଶେଷ ହୋଇ ଗଲାଣି । ଏମିତି ଅବସ୍ଥା ଯେ ନିଜର ନିତ୍ୟକର୍ମ ପାଇଁ ଚିକୁନ ଅନ୍ୟ ଉପରେ ନିର୍ଭରଶୀଳ । ଏବେ ତାଙ୍କର ପ୍ରତ୍ୟେକ କାମ ତାଙ୍କ ମା’ ହିଁ କରୁଛନ୍ତି । ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ସେ ଏବେ ପରିବାର ପାଇଁ ବୋଝ ପାଲଟିଛନ୍ତି । ତେବେ ଚିକୁନଙ୍କ ଗାଁ ଲୋକେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଚାଲିଛନ୍ତି । ଏବେ ଆପଣମାନଙ୍କ ସହାୟତା ନିହାତି ଦରକାର ବୋଲି ଗାଁ ଲୋକେ ଅନୁରୋଧ କରିଛନ୍ତି ।

ଚିକୁନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖିବା ପରେ ଡ଼ାକ୍ତର କହିଛନ୍ତି ଅପରେସନ ଦ୍ଵାରା ଦେହ ଭଲ ହୋଇଯିବ । ଯେହେତୁ ତାଙ୍କର ଶରୀରରେ ରଡ଼ ଲାଗିଛି ତାହା ଅପରେସନ ଦ୍ଵାରା ହିଁ ଆରୋଗ୍ୟ ହୋଇ ପାରିବ । କଟକ ବଡ଼ ମେଡ଼ିକାଲରେ ଅଭିଜ୍ଞ ଡ଼ାକ୍ତର ଅଛନ୍ତି ତାଙ୍କ ସହିତ ଚିକୁନଙ୍କ ଚିକିତ୍ସା ସମ୍ପର୍କରେ ପରାମର୍ଶ କଲେ କିଛି ବାଟ ବାହାରିବ । ସେ ପୁନର୍ବାର ଭଲ ହୋଇ ଚାଲିବା ପାଇଁ ସକ୍ଷମ ହେବେ ବୋଲି କହିବା ସହିତ ଏ ସମ୍ପର୍କରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ସେ ଆବେଦନ କରିଲେ ସରକାର ତାଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଚିକୁନଙ୍କ ଏଭଳି ଅବସ୍ଥା ଦେଖିବା ପରେ ଯଦି ଆପଣମାନେ ସହାୟତା ଯୋଗାଇବା ପାଇଁ ଇଚ୍ଛା କରନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।

ଚିକୁନ ଭୋଇ
ପିତା : ମହେନ୍ଦ୍ର ଭୋଇ
ଗ୍ରାମ : ହିରାପୁର ସାହାବାଜପୁର
ପଂଚାୟତ : ଉମାଦେଇ ବ୍ରହ୍ମପୁର ପଂଚାୟତ
ବ୍ଲକ : ବାଲିଅନ୍ତା
ଜିଲ୍ଲା : ଖୋର୍ଦ୍ଧା
ପିନ : 752100
ବ୍ୟାଙ୍କ : ୟୁକୋ ବ୍ୟାଙ୍କ ବାଲିଅନ୍ତା ଶାଖା
ଆକାଉଂଟ ନମ୍ୱର : 10980110102824
ଆଇଏଫଏସ କୋଡ଼ : UCBA0001098
ଯୋଗାଯୋଗ ନମ୍ୱର : 6370378105
ଚିକୁନଙ୍କ ମା’ଙ୍କ ମୋବାଇଲ ନମ୍ୱର : 7848891103

Also read:ମଧ୍ୟପ୍ରଦେଶ : ବାଇକ୍ ସହିତ ଧକ୍କା ହୋଇ କୂଅକୁ ଖସିପଡିଲା ଭ୍ୟାନ୍, ୧୨ ମୃତ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ