ପୌରାଣିକ କଥା ଅନୁସାରେ ୪୦୦ ବର୍ଷରୁ ଊର୍ଦ୍ଧ୍ବ ହେବ ଚାଲିଛି ରାମଲୀଳା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ଉର୍ଲେ ଗାଁ। ଏଠାରେ ୪୦୦ ବର୍ଷରୁ ଊର୍ଦ୍ଧ୍ବ ହେବ ପୁର୍ବ ପରମ୍ପରା ଅନୁସାରେ ଚାଲିଛି ରାମଲୀଳା। ରାମଲୀଳା ଆରମ୍ଭରେ ପ୍ରଥମେ ମହାପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରିବା ପରେ ଇଷ୍ଟଦେବୀ ମା ମାଉଳିଙ୍କୁ ପୂଜାର୍ଚ୍ଚନା କରାଯାଇ ରାମ ଲକ୍ଷ୍ମଣ ସୀତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ l ରାମନବମୀ ଦିନ ଠାରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲୁଥିବା ଏହି ରାମଲୀଳା କାର୍ଯ୍ୟକ୍ରମରେ ରାମଚନ୍ଦ୍ରଙ୍କ ଲୀଳା ଦେଖିବାକୁ ମିଳିଥାଏ ।

ଗାଁର ପ୍ରତ୍ୟେକ କଳାକାର ରାମାୟଣର କଥାବସ୍ତୁକୁ ଜୀବନ୍ତ ଭାବରେ ଉପସ୍ଥାପନା କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥାନ୍ତି l ପୌରାଣିକ କଥାର ବେଶ ମଜା ଉଠାଇଥାନ୍ତି ଗ୍ରାମବାସୀ ଓ ବାହାର ଗାଁରୁ ଆସିଥିବା ଦର୍ଶକ । ୪୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ମଞ୍ଚସ୍ଥ ଏହି ଲୀଳା ନାଟକ ଗ୍ରାମବାସୀଙ୍କୁ ଭକ୍ତି ଭାବରେ ବାନ୍ଧି ରଖିଛି l ପ୍ରତିବର୍ଷ ରାମ ନବମୀ ଦିନଠାରୁ ୧୫ ଦିନ ପର୍ଯ୍ୟନ୍ତ ମଞ୍ଚସ୍ଥ ହେଇଥିବା ଏହି ରାମଲୀଳା ଲୋକଙ୍କୁ ଏକାଠି ରଖିବା ସହିତ ଆଧ୍ୟାତ୍ମିକତା ମାର୍ଗ ଦର୍ଶନ କରିଥାଏ।

ଗ୍ରାମବାସୀ, କମିଟି ସଦସ୍ୟ ଓ ଅଭିନୟ କରୁଥିବା କଳାକାର ମାନେ ନିଷ୍ଠାର ସହିତ ରହି ଦେହରେ ଭିନ୍ନ ଭିନ୍ନ ରଙ୍ଗ ମାଖି ମୁହଁରେ ଆକର୍ଷଣୀୟ ମୁଖା ପିନ୍ଧି ମଞ୍ଚ ଉପରକୁ ଆସିଲେ ପାଲଟି ଯାଆନ୍ତି ସତସତିକା ପୁରାଣର ଚରିତ୍ର l ମଞ୍ଚ ଉପରେ କଳାକାର ମାନେ ପାଲଟି ଯାଇଥାନ୍ତି ଜୀବନ୍ତ ଦେବତା l ଆଜିକୁ ୪୫ବର୍ଷ ହେବ ରାମ ଭୂମିକାରେ ଅଭିନୟ କରୁଥିବା କଳାକାର କୁହନ୍ତି ନାଟକକୁ ଆସିଲେ ଭିନ୍ନ ଅନୁଭବ ହୋଇଥାଏ l ଚରିତ୍ର ଉପଯୋଗୀ ପୋଷାକ ପିନ୍ଧି କଳାକାର ମାନେ ମଞ୍ଚ ଉପରକୁ ଆସିଲେ ଆଧ୍ୟାତ୍ମିକତା ସହିତ ମିଳିପାରୁଛି ମନୋରଞ୍ଜନ ।

କଳାର କାଳଚକ୍ରରେ ମନୋରଞ୍ଜନ ସାଙ୍ଗକୁ ପରିଭାଷା ବଦଳି ଯାଇଥିବା ବେଳେ ଉର୍ଲେ ଗାଁ ଲୋକେ ଏକାଠି ହୋଇ ଭକ୍ତିମୟ ପରିବେଶ ପାଇଁ ପୌରାଣିକ ଲୀଳା ନାଟକକୁ ଉଜ୍ଜିବୀତ ରଖିଛନ୍ତି l ଉର୍ଲେ ଗାଁର ଏହି ରାମଲୀଳା ଆରମ୍ଭ ହେଲେ ଗାଁକୁ ବହୁ ଲୋକ ଆସି ନାଟକର ମଜା ନେବା ସହିତ ଗାଁରେ ରାମରାମ ନାମ ସବୁବେଳେ ହେଉଥିବାରୁ ଲୋକେ ମଧ୍ୟ ଭଗବାନଙ୍କୁ ମନେ ପକେଇଥାନ୍ତି ।

Also Read:ଛାତ୍ରୀମାନଙ୍କ ପାଇଁ ଋଷ ସରକାରଙ୍କର ବଡ଼ ଅଫର, ପିଲା ଜନ୍ମ କରନ୍ତୁ ଏବଂ ୧ ଲକ୍ଷ ଟଙ୍କା ପାଆନ୍ତୁ!