ଅଭିଯୁକ୍ତଙ୍କ ଅନୁତାପ, ସମର୍ଥ ଅଗ୍ରୱାଲ ହତ୍ୟାକରୀ ଓ ସାଙ୍ଗର ଗୁପ୍ତାଙ୍ଗ କାଟିଥିବା ଅଭିଯୁକ୍ତ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଝାରସୁଗୁଡ଼ା ରିଜର୍ଭ ବାଟାଲିୟନର ବାଥରୁମ୍‌ରେ ଥିବା ଦର୍ପଣ କାଚ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ଝାରସୁଗୁଡ଼ା/କେନ୍ଦ୍ରାପଡା(କେନ୍ୟୁଜ୍): ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ପୋଲିସ ହେପାଜତରେ ସୁଇସାଇଡ୍‌ ଉଦ୍ୟମ । ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଝାରସୁଗୁଡ଼ା ରିଜର୍ଭ ବାଟାଲିୟନର ବାଥରୁମ୍‌ରେ ଥିବା ଦର୍ପଣ କାଚ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିଥିଲା । ନିଜ ହାତକୁ କାଚରେ କାଟି ଦେବା ସହ ଶରୀରର ଅନ୍ୟ ଅଙ୍ଗକୁ ଆଘାତ ଦେଇଥିଲା ଅମିତ । ରକ୍ତାକ୍ତ ଅବସ୍ଥାରେ ତାକୁ ଉଦ୍ଧାର କରି ନିଆଯାଇଥିଲା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ସେଠାରେ ଚିକିତ୍ସା ପରେ ଅମିତ ଶର୍ମା ଓ ଅନ୍ୟ ଅଭିଯୁକ୍ତ ଦୀନେଶ ଅଗ୍ରଓ୍ଵାଲଙ୍କୁ କୋର୍ଟରେ ହାଜର କରିଥିଲା ପୋଲିସ । ସେମାନଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି କୋର୍ଟରେ ହାଜର କରିବା ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଅପହରଣ ଓ ହତ୍ୟାର ଅନେକ ତଥ୍ୟ ବାହାର କରିଛି ପୋଲିସ । ଝାରସୁଗୁଡ଼ା, ବରଗଡ଼ ଓ ବୁର୍ଲାରେ ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଥିଲା ।

ଗତକାଲି ଅିଭଯୁକ୍ତର ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ତାକୁ କୋର୍ଟରେ ହାଜର କରିବା ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅମିତ । ତେବେ ପୋଲିସ ହେପାଜତରେ କେମିତି ଆତ୍ମହତ୍ୟା ଉଦ୍ୟମ କଲା ? ଜଣେ ହତ୍ୟା ଅଭିଯୁକ୍ତକୁ କେମିତି ଖୋଲାମେଲା ଛାଡ଼ି ଦିଆଯାଇଥିଲା ? ଅମିତର ଯଦି କିଛି ହୋଇଥାନ୍ତା, ସେଥିପାଇଁ କିଏ ଦାୟୀ ରହିଥାନ୍ତା ? ରିଜର୍ଭ ବାଟାଲିଅନ ଅଭିଯୁକ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ କି ? ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଏପଟେ ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣାରେ ସାଙ୍ଗର ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଅକ୍ଷୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଅକ୍ଷୟ ବିଷ ପିଇ ଆଳି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାକୁ ଗିରଫ କରିଛି ପୋଲିସ । ଅକ୍ଷୟଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ଜାଲ ବିଛାଇଥିଲା । ଗିରଫ ଅଭିଯୁକ୍ତ ଆଳି ବ୍ଲକ ବାଙ୍କେଶ୍ୱର ଗାଁର ଅକ୍ଷୟ କୁମାର ରାଉତ।  ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ସାଙ୍ଗର ଗୁପ୍ତାଙ୍ଗ କାଟି ଦେଇଥିଲା ଅକ୍ଷୟ । ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ପୂର୍ବ ଯୋଜନା ଅନୁସାରେ ଭୁଜାଲିରେ ସାଙ୍ଗ ଗୁପ୍ତାଙ୍ଗକୁ କାଟି ଫେରାର ହୋଇଯାଇଥିଲା ଅକ୍ଷୟ ।