ଭଦ୍ରକରେ ବଧୂ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଦ୍ରକ : ଜମି କିଣିବା ପାଇଁ ଟଙ୍କା ନ ଥିବାରୁ ଶ୍ୱଶୁର ଘରେ ପହଂଚିଥିଲେ ଜ୍ୱାଇଁ । ପରେ ଶ୍ୱଶୁର ଧାର ଆଣି ଜ୍ୱାଇଁକୁ ଦେଇଥିଲେ ଟଙ୍କା  । ତେବେ ସେହି ଟଙ୍କା ଫେରାଇବାକୁ ଝିଅ ତାଙ୍କ ସ୍ୱାମୀକୁ କହିବାରୁ ଶେଷରେ ସ୍ୱାମୀ ଘର ଲୋକ ଜୀବନ ନେଇଗଲେ ବୋହୂର ।.ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ଜୟ କୃଷ୍ଣପୁର ଗ୍ରାମରେ ଘଟିଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣୀଢ଼ିହି ଥାନା ଅଧୀନସ୍ଥ କାଳିଦାସପୁର ଗ୍ରାମରେ ଭାଗିରଥି ଦାସଙ୍କ ଝିଅ ଭାରତୀକୁ ଜୟକୃଷ୍ଣପୁର ଅଞ୍ଚଳରେ ସୁଦର୍ଶନ ବାରିକ 15 ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର କିଛି ବର୍ଷ ଭଲରେ ବିତିଯାଇଥିଲା । ସ୍ୱାମୀ ସୁଦର୍ଶନ ବାରିକ ଶ୍ୱଶୁର ଘରୁଟଙ୍କା ଆଣି ଜମି କିଣିଥିଲେ । ସେହି ଟଙ୍କାକୁ ସୁଝିବାକୁ ନେଇ ସ୍ତ୍ରୀ ବାରମ୍ବାର ସ୍ୱାମୀଙ୍କୁ କହିଥିଲେ ।

ସେହି ଟଙ୍କାକୁ ନେଇ ସ୍ୱାମୀ ସୁଦର୍ଶନ ବାରିକ ଓ ତାଙ୍କ ପରିବାର ଲୋକମାନେ ଭାରତୀକୁ ଉତ୍ୟକ୍ତ ହୋଇ ମାରି ଦେବାକୁ ଧମକ ଦେଉଥିଲେ । ଏପରିକି ଭାରତୀକୁ ନେଇ ଯିବାକୁ ତାଙ୍କ ବାପ ଘରକୁ ଖବର ଦେଉଥିଲେ । ଗତକାଲି ଭାରତୀକୁ ଗୋଟିଏ ଘରେ ଭିତରେ ପୁରାଇ ମାଡ଼ ମାରିବା ସହ ଜୀବନରୁ ମାରିଦେବେ ବୋଲି କହୁଥିବା ନେଇ ଭାରତୀ ଫୋନ କରି ଘର ଲୋକଙ୍କୁ କହିଥିଲେ ।

ତେଣୁ ଭାଗିରଥିଙ୍କ ପୁଅ ଯାଇଥିଲେ ଜୟ କୃଷ୍ଣପୁର । ହେଲେ ତାଙ୍କ ଭଉଣୀର ମୃତ ଦେହ ଦେଖିବାକୁ ପାଇଥିଲେ । ତାଙ୍କ ଭିଣୋଇ ସୁଦର୍ଶନ ବାରିକ, ତାଙ୍କ ଦୁଇ ଭାଇ, ଭାଉଜ, ମାଆ ଓ ମାମୁଁ ଦୟାନିଧି ବାରିକ ମିଶି ତାଙ୍କ ଭଉଣୀଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଭାଇ ପିତାମ୍ବର । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ନେଇ ଅଭିଯୋଗ କରିଛନ୍ତି ପିତାମ୍ବର । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି ମୃତା ଭାରତୀଙ୍କ ବାପା ଓ ସମ୍ପର୍କୀୟମାନେ ।

 

You might also like