ରାଜଧାନୀର ଏକ ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଅଭିଯୋଗ ! ମୁଣ୍ଡ ଜାମିନ ରଖି ଏକ କୋଟି ମାଗୁଛନ୍ତି ଅପହରଣକାରୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ । ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ ଖାଲି । ମହିଳା ଜଣକ ବିବାହିତା ହୋଇଥିବାବେଳେ ତାଙ୍କ ସ୍ଵାମୀ ଆମେରିକାରେ ଚାକିରି କରୁଛନ୍ତି। ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ବାପା ମାଆଙ୍କ ପାଖରେ ଏକ ଆପାର୍ଟମେଣ୍ଟରେ ରହିଆସୁଥିଲେ । ମହିଳା ଜଣକ ପ୍ରତିଦିନ ସତସଙ୍ଗ ବିହାର ଯାଉଥିଲେ ।
ତେବେ ଗତକାଲି ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ପରେ ଘର ଲୋକ ଖୋଜାଖୋଜି କରି ପାଇ ନଥିଲେ । ସନ୍ଧ୍ୟାରେ ପରିବାର ଲୋକଙ୍କୁ ଫୋନ୍ କଲ ଆସିଥିଲା । କୋଟିଏ ଟଙ୍କା ଦିଅ ନହେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ ଅପହରଣକାରୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଚନ୍ଦକା ଥାନା ପୋଲିସ ଏକ ୬ ଜଣିଆ ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି । ମହିଳାଙ୍କ ମୋବାଇଲ ଟ୍ରାକିଂ କରି ଲୋକେସନ ଠାବ କରିଛି । ମହିଳାଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ କମିଶନରେଟ୍ ପୋଲିସର ଟିମ୍ ପଠାଯାଇଛି । ପରିବାର, ସହାୟିକା, ପଡୋଶୀ ଓ ସତସଙ୍ଗ ବିହାର କର୍ତ୍ତୁପକ୍ଷଙ୍କୁ ପଚରାଉଚୁରା କରାଯାଉଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି ରହିଛି। ଅପହରଣ ପଛରେ ଇଣ୍ଟରଷ୍ଟେଟ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଉଛି । ଏବେ ପ୍ରଶ୍ନ ଉଠୁଛି ମହିଳାଙ୍କର କାହା ସହ ପୂର୍ବ ଶତ୍ରୁତା ଥିଲା କି ? ଅପହରଣ ପଛରେ ସ୍ଵାମୀଙ୍କ ହାତ ରହିଛି କି ?।