ଇଂଲଣ୍ଡ କ୍ୟୁଏସ ରିଇମାଜିନ୍ ଶିକ୍ଷା ସମ୍ମିଳନୀରେ ଡ଼. ଅଚ୍ୟୁତ ସାମନ୍ତଙ୍କ ଉଦବୋଧନ, ବିଭିନ୍ନ ବିଶ୍ବବିଦ୍ୟାଳୟ ସହ KIIT ର ବୁଝାମଣା
ଭୁବନେଶ୍ୱର: ଶିକ୍ଷାବିତ, ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଲଣ୍ଡନର କ୍ୟୁଏସ ରିଇମାଜିନ୍ ଶିକ୍ଷା ସମ୍ମିଳନୀରେ ଯୋଗଦେଇ ଶିକ୍ଷା ବିକାଶ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି । ବୁଧବାର ଅଚ୍ୟୁତ ସାମନ୍ତଙ୍କ ଦିନିକିଆ ଲଣ୍ଡନ ଗସ୍ତ ଅବସରରେ ସେ କ୍ୟୁଏସ ରିଇମାଜିନ୍ ଶିକ୍ଷା ସମ୍ମିଳନୀରେ ଉଦବୋଧନ ଦେଇ ଶିକ୍ଷା ଓ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ କିଟ ଓ କିସର ପ୍ରୟାସ ଉପରେ ନିଜର ମତ ରଖିଥିଲେ ।
ପରେ ଇଂଲଣ୍ଡର ଦୁଇ ଖ୍ୟାତି ସମ୍ପନ୍ନ ବିଶ୍ଵବିଦ୍ୟାଳୟ ସହ କିଟର ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା। ୧୮୪୩ ମସିହାରେ ପ୍ରତିଷ୍ଠିତ ସେଫିଲ୍ଡ ହାଲାମ ବିଶ୍ୱବିଦ୍ୟାଳୟ ଓ ୧୮୬୨ ମସିହାରେ ପ୍ରତିଷ୍ଠିତ ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟ ସହିତ କିଟ ମଧ୍ୟରେ ଶିକ୍ଷାର ବିକାଶ ନେଇ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା। ଏଗୁଡ଼ିକ ଇଂଲଣ୍ଡର ସବୁଠାରୁ ପୁରାତନ ଓ ସମ୍ମାନିତ ବିଶ୍ୱବିଦ୍ୟାଳୟ। ଏହି ସହଯୋଗ ଫଳରେ କିଟର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଶୈକ୍ଷିକ ବିନିମୟ, ମିଳିତ ଶିକ୍ଷା ଏବଂ ନୂତନ ଗବେଷଣା ଦିଗରେ ସହାୟକ ହେବ। ଏହି ବୁଝାମଣାପତ୍ର ଫଳରେ କିଟ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଦ୍ୱାର ଖୋଲିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱସ୍ତରୀୟ ସଂଯୋଗକୁ ମଜବୁତ କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।
ଗସ୍ତ ଅବସରରେ ଶ୍ରୀ ସାମନ୍ତ ଇଂଲଣ୍ଡର ବହୁ ଶିକ୍ଷାବିତ୍ ଓ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟଗୋଷ୍ଠୀ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫେସର କଲିନ୍ ରିଓର୍ଡନ୍ CBEଙ୍କୁ ସାକ୍ଷାତ କରି ଉଚ୍ଚଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଲାଭ ପାଇଁ କିପରି ମିଳିତ ଭାବେ କାମ କରାଯାଇ ପାରିବ ସେ ନେଇ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ। ଲଣ୍ଡନ ଗସ୍ତ ଅବସରରେ ଶ୍ରୀ ସାମନ୍ତ ଭାରତର ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ଜୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Also read: କିଟକୁ ‘ବେଷ୍ଟ ଇମର୍ଜିଂ ୟୁନିଭର୍ସିଟି’ ପୁରସ୍କାର