ଉଚ୍ଚ ଶିକ୍ଷିତା ହେବେ ମାଲକାନଗିରି ବଣ୍ଡାଘାଟିର ଝିଅ ଶାନ୍ତି ଧାଙ୍ଗଡାମାଝୀ, ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ମାଲକାନଗିରି(କେନ୍ୟୁଜ୍): ପାଠ ପଢ଼ିବେ ବଣ୍ଡା ସମ୍ପ୍ରଦାୟର ଝିଅ। ଉଚ୍ଚ ଶିକ୍ଷିତା ହେବେ ମାଲକାନଗିରି ବଣ୍ଡାଘାଟିର ଶାନ୍ତି ଧାଙ୍ଗଡାମାଝୀ। ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଚଳିତବର୍ଷ ଶାନ୍ତି କିସ୍‌ରୁ ମାଟ୍ରିକ ପାସ କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଆଶା ରଖିଥିଲେ ବି ପରିବାରର ଆର୍ଥିକ ସମସ୍ୟା ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିଥିଲା। ଅଭାବ ଅନଟନ ଯୋଗୁ ପାଠପଢ଼ାରେ ଡ଼ୋରି ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲେ ଶାନ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ତାଙ୍କର ପଢ଼ା ଓ ସମସ୍ତ ଖର୍ଚ୍ଚ ତୁଲାଇବାକୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଟର ସାମନ୍ତ କହିଛନ୍ତି।

ଶାନ୍ତିଙ୍କ ଉଚ୍ଚ ଶିକ୍ଷା ଓ ଭବିଷ୍ୟତ ନେଇ ଡକ୍ଟର ସାମନ୍ତ ପ୍ରତିଶ୍ରୁତି ଦେବା ପରେ ଶାନ୍ତିଙ୍କ ପରିବାରରେ ଖୁସିର ଲହରି। ଶାନ୍ତିଙ୍କ ବଡ଼ ଉଭଣୀ ବି ଯୁକ୍ତ ଦୁଇ ପାସ କରିଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ପାଇଁ ସେ ବି ପାଠ ପଢ଼ି ପାରୁ ନାହାନ୍ତି। ତାଙ୍କର ଖର୍ଚ୍ଚ ବି ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ଶାନ୍ତି ଓ ତାଙ୍କ ବଡ଼ ଉଭଣୀଙ୍କ ଅଧୁରା ସ୍ୱପ୍ନ ଏବେ ପୂରଣ ହେବ। ଆଦିମ ଜନଜାତି ସମ୍ପ୍ରଦାୟକଙ୍କୁ ଶିକ୍ଷା ଯୋଗାଇ ଦେବାକୁ ଡକ୍ଟର ସାମନ୍ତଙ୍କ ଏଭଳି ପଦକ୍ଷେପକୁ ସାରା ବଣ୍ଡାଘାଟି ବି ପ୍ରଶଂସା କରୁଛି।