କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଅ, ୧୨ ରାଜ୍ୟର ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନାର ଦ୍ବିତୀୟ ଷ୍ଟ୍ରେନ୍। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣରେ ରୋକ ଲଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌରପାଳିକା କମିଶନର, ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। କେବଳ ସେତିକି ନୁହେଁ କରୋନା ସଂକ୍ରମଣ ବଢୁଥିବାରୁ ୧୨ ରାଜ୍ୟରୁ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଂଜାବ, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଯାତ୍ରୀ କିମ୍ବା ପ୍ରବାସୀ ଓଡ଼ିଆ ଫେରୁଥିଲେ ସେମାନଙ୍କର ବସଷ୍ଟାଣ୍ଡ, ରେଳଷ୍ଟେସନ୍ ଓ ବିମାନ ବନ୍ଦରରେ ସ୍କ୍ରିନିଂ କରାଯିବ। ଏହା ସହିତ ବିମାନବନ୍ଦର ଓ ରେଳଷ୍ଟେସନରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ। ଲକ୍ଷଣ କିମ୍ବା ଜ୍ବର ଥିବା ଜଣାପଡ଼ିଲେ ଆଣ୍ଟିଜେନ ଟେଷ୍ଟ ହେବ। କରୋନା ପଜିଟିଭ ଜଣାପଡ଼ିଲେ ଯାତ୍ରୀ ଆଇସୋଲେସନରେ ରହିବେ।